ପୌର ଫଇସଲା : ସକାଳ ୮ଟାରୁ ଭୋଟ ଗଣତି, ହାତ ଟେକିଦେଲେ ବିରୋଧୀ । ବିଜେଡି କହିଲା, ପଞ୍ଚାୟତ ଫଳାଫଳର ହେବ ପୁନରାବୃତ୍ତି  । 

236

କନକ ବ୍ୟୁରୋ : କାଲି ହେବ ପୌର ନିର୍ବାଚନର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର । ତେବେ ଗଣତି ପୂର୍ବରୁ ହାତ ଟେକି ଦେଇଛନ୍ତି ବିରୋଧୀ । ହେଲେ, ଶାସକ ବିଜେଡି ଦଳ ନେତା ଦୃଢ଼ୋକ୍ତି କରି କହିଛନ୍ତି, ପଂଚାୟତ ନିର୍ବାଚନ ଭଳି ଏକତରଫା ହେବ ପୌର ଫଳାଫଳ ।

ପୌର ନିର୍ବାଚନ ଭୋଟ ସରିବା ପରେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ । ପଂଚାୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକତରଫା ଭୋଟ ଦେଇଥିବାବେଳେ ସହରୀ ଭୋଟର କାହାକୁ ବାଛିଛନ୍ତି, ତାହା ଗଣତିରୁ ଜଣାପଡିବ ।  ଆଉ ଗଣତି ଯେମିତି ନିର୍ଭୁଲ ଓ ଶାନ୍ତିଶୃଂଖଳାର ସହ ଶେଷ ହେବ ସେଥିପାଇଁ ଭୋଟରଙ୍କ ସଂଖ୍ୟାକୁ ଦେଖି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ । ଏବେ ନଜର ପକାନ୍ତୁ କେମିତି ହେବ ଭୋଟ ଗଣତି..

–  ସକାଳ ୮ଟାରୁ ଆରମ୍ଭ ହେବ ଗଣତି ।

– ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିବ

– ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେବ

– ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରହିବ

–  ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ରହିବେ

– କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ରଖିପାରିବେ ପ୍ରାର୍ଥୀ ।

ଭୋଟ ଗଣତି ପୂର୍ବରୁ କେଉଁ ଦଳ, କେତୋଟି ପୌରାଞ୍ଚଳ ପାଇବେ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ତେବେ ଫଳାଫଳ ଆସିବା ପୂର୍ବରୁ ହାତ ଟେକି ଦେଇଛନ୍ତି ବିରୋଧୀ ।  ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ୧୦୯ଟିରୁ କୌଣସିଟି ବି ପାଇନପାରେ ବିଜେପି  । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏଠି ନୋଟ ଗଣତନ୍ତ୍ର ଚାଲିଛି । ତଥାପି କଂଗ୍ରେସ ୧୭ଟି ଆସନ ପାଇବ  । ଅନ୍ୟପଟେ ଶାସକ ଦଳର ନେତା କହିଛନ୍ତି, ପୌର ନିର୍ବାଚନର ଫଳାଫଳ ପଂଚାୟତ ଭଳି ହେବ ।  ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କେଉଁ ଦଳକୁ ମିଳିଲା କେତେ । କେଉଁ ନେତାଙ୍କ ଭାଗ୍ୟ ଚମକିଲା ଆଉ କାହାର ଫିକା ପଡିଲା ।