ୟୁକ୍ରେନରେ ଧ୍ୱଂସଲୀଳା ଖେଳୁଛି ପୁଟିନ ବାହିନୀ: ମାରିୟୁପୋଲ ଦଖଲ ପାଇଁ ଲୋକଙ୍କ ଘର ଉପରେ ବୋମା ବର୍ଷା କରୁଛି ଋଷ

111

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଏକ ମାସ ହୋଇସାରିଲାଣି । କିନ୍ତୁ ଏବେ ବି ଜାରି ରହିଛି ଦୁଇ ଦେଶ ମଧ୍ୟରେ ଯୁଦ୍ଧ । ୟୁକ୍ରେନ ଭିତରେ ପଶି ବିଭିନ୍ନ ସହର ଉପରେ ବୋମା ବର୍ଷା କରୁଛି ରୁଷ ସେନା । ଆଉ ଏହାର ଭୟଙ୍କର ଚିତ୍ର ଏବେ ସାରା ବିଶ୍ୱ ଦେଖୁଛି । ଏ ଭିତରେ ମାରିୟୁପୋଲ ଉପରେ ରୁଷ କରିଥିବା ଏକ ବଡ ଆକ୍ରମଣର ତଥ୍ୟ ଏବେ ସାମ୍ନାକୁ ଆସିଛି । ଗତ ସପ୍ତାହରେ ମାରିୟୁପୋଲ ସହରରେ ଆଶ୍ରୟ ସ୍ଥଳୀ ପାଲଟିଥିବା ଏକ ଥିଏଟର ଉପରେ ମିସାଇଲ ଆକ୍ରମଣ କରିଥିଲା ରୁଷ । ଆଉ ଏହି ଆକ୍ରମଣରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି ।

ରୁଷ କରିଥିବା ଏହି ଭୟଙ୍କର ଏୟାର ଷ୍ଟାଇକରେ ଶିଶୁ ମହିଳାଙ୍କ ସମେତ ୩୦୦ରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇଥିବା ନେଇ ଅର୍ନ୍ତଜାତୀୟ ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି । ଲଗାତାର ରକେଟ, ମିଜାଇଲ ଓ ବୋମା ମାଡ ଜାରି ରହିବା କାରଣରୁ ୟୁକ୍ରେନର ଅନେକ ସହର ଛାର ଖାର ହୋଇସାରିଛି । ରାଜଧାନୀ କିଭର ମଧ୍ୟ ଅନେକ ଅଂଚଳ ଧ୍ୱଂସସ୍ତୁପ ପାଲଟି ଗଲାଣି । କିନ୍ତୁ ତଥାପି ହାରମାନିନି ୟୁକ୍ରେନ । ସାଧାରଣା ନାଗରିକଙ୍କ ଠାରୁ ଆରମ୍ଭ କରି ସେନା ବାହିନୀ ସମସ୍ତେ ରୁଷ ସେନାର ମୁକାବିଲା କରୁଛନ୍ତି । ରୁଷର ଲଢୁଆ ବିମାନ, ଟ୍ୟାଙ୍କ ଓ ଯୁଦ୍ଧ ଉପକରଣକୁ ଧ୍ୱଂସ କରିବା ସହ ଅନେକ ରୁଷ ସେନାକୁ ମଧ୍ୟ ବନ୍ଦି ବନେଇଛି ୟୁକ୍ରେନ ସେନା ।