ଓଡିଶା ଦୃଷ୍ଟିହୀନ ସଂଘରେ ଚାଲିଛି ବିବାହ ମଣ୍ଡପ । ବିିବାହ, ବ୍ରତଘର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ବିଭାଗ

50

କନକ ବ୍ୟୁରୋ: ସଜେଇ ହୋଇଛି ବିବାହ ମଣ୍ଡପ । ଆଗାମୀ ବିବାହ ଭୋଜି ପାଇଁ ଟେଣ୍ଟ ବି ଲଗାଯାଉଛି । ଏସି ଘର ଭିତର ବି ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି । ବର ବଧୁଙ୍କ ପାଇଁ ସୋଫା ଓ ଅତିଥିଙ୍କ ପାଇଁ ଭଳିକି ଭଳି ଚେୟାର ବି ରହିଛି । ଖୋଲା ଆକାଶ ତଳେ ଭୋଜିର ଆୟୋଜନ କରିବାକୁ ଚାହୁଁଥିଲେ ସେ ବ୍ୟବସ୍ଥା ବି ଅଛି । ସହରର ଛାତି ଉପରେ ସତ୍ୟ ନଗରରେ ରହିଛି ଏହି ବିବାହ ମଣ୍ଡପ । ଅନେକ ଏହାକୁ ବିବାହ ମଣ୍ଡପ ଭାବୁଥିବାବେଳେ ଏହା ହେଉଛି ଦୃଷ୍ଟିବାଧିତ ସଂଘର କନଫରେନ୍ସ ହଲ ।

ଦୃଷ୍ଟିବାଧିତ ସଂଘର କନଫରେନ୍ସ ହଲକୁ ୯୯ ବର୍ଷୀୟ ଲିଜରେ ଓଡି଼ଶା ଦୃଷ୍ଟିହୀନ ସଂଘକୁ ଦେଇଥିଲେ ରାଜ୍ୟ ସରକାର । ଦୃଷ୍ଟିବାଧିତ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ନିର୍ମାଣ ହୋଇଥିଲା ଏହି ଘର । କିନ୍ତୁ ବିଡମ୍ବନାର କଥା ପରବର୍ତୀ ସମୟରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ଏହାକୁ ବ୍ୟବସାୟିକ କାମରେ ଲଗାଇଦେଲେ । ବିବାହ ସାଙ୍ଗକୁ ବ୍ରତୋପନୟନ ଓ ଛୋଟ ବଡ କାର୍ଯ୍ୟକ୍ରମ ଏହି ଅନୁଷ୍ଠାନରେ ହେଉଛି । ବିବାହ ଭଳି ଅନ୍ୟ ସବୁ କାର୍ଯ୍ୟ ବନ୍ଦ କରିବା ପାଇଁ ସଂଘର ସଂପାଦକଙ୍କୁ ଚିଠି କରିଛି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ତେବେ ଏନେଇ କିଛି କହିବାକୁ ରାଜି ନାହାନ୍ତି ସଂଘର ସଂପାଦକ ।

ଏହି ପରିସରରେ ରାଜ୍ୟ ସରକାର ଦୃଷ୍ଟିବାଧିତ ପୁଅ-ଝିଅଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ୧୨୦ ଜଣ ଦୃଷ୍ଟିବାଧିତଙ୍କ ପାଇଁ ବୃଦ୍ଧା ଆଶ୍ରମ ତିଆରି କରିବା ପାଇଁ ଯୋଜନା କରିଛନ୍ତି । ୪୭ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହେବ । ଏଥିପାଇଁ ଗତ ଫେବୃଆରୀ ମାସରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭାଗୀୟ ଅଧିକାରୀ ଓଡିଶା ଦୃଷ୍ଟିବାଧିତ ସଂଘ ପରିସର ପରିଦର୍ଶନ କରିଥିଲେ । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ନୂଆ ବିବାଦ । ସଂଘର କିଛି କର୍ମକର୍ତା ସରକାରଙ୍କ ଏହି କାମକୁ ବିରୋଧ କରିବା ଆରମ୍ଭ କରିଦେଲେଣି । ସଂଘ ପରିସରରେ ଏନେଇ ଚର୍ଚା ଚାଲିଥିବାବେଳେ ଅର୍ଜୁନ ସ୍ୱାଇଁ ନାମକ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲାବେଳେ ଆକ୍ରମଣର ଶିକାର ହୋଇଛନ୍ତି ।

ଅନୁଷ୍ଠାନର ଜଣେ ବ୍ୟକ୍ତି ମଣ୍ଡପକୁ ନିଜ ଅକ୍ତିଆରରେ ରଖି ମନମାନି ଚଲାଇଥିବା ଅଭିଯୋଗ ହୋଇଛି । ମଣ୍ଡପ ବୁକ ହେଲେ ମାତ୍ର କିଛି ଟଙ୍କା ସଂଘର ଆକାଉଣ୍ଟକୁ ଯାଉଥିବାବେଳେ ଅନ୍ୟସବୁ ପଇସା ଯାଏ ନିର୍ଦ୍ଦିିଷ୍ଟ ବ୍ୟକ୍ତିଙ୍କ ପକେଟକୁ ।