ସିଙ୍ଗଲ ନେବାକୁ ଚାହୁଁଥିଲେ କୋହଲି, ରାହୁଲ କହିଲେ ତୁମେ ଶତକ ପୂରା କର । ମ୍ୟାଚ ପରେ କୋହଲିଙ୍କ ‘ବିରାଟ’ ଶତକ ପଛର ସତ କହିଲେ ରାହୁଲ ।

1,485

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ କୋହଲିଙ୍କ ବିରାଟ ଶତକ ସହ ଟିମ ଇଣ୍ଡିଆ ଚଳିତ ବିଶ୍ୱକପରେ ବିଜୟୀ ଚୌକା ମାରିଛି । ୪ ମ୍ୟାଚରୁ ୪ ବିଜୟ ସହ ସେମିଫାଇନାଲର ନିକଟତର ହେଉଛି ରୋହିତ ବାହିନୀ । ତେବେ ବାଂଲାଦେଶ ବିପକ୍ଷରେ ଭାରତର ବିଜୟକୁ ନେଇ ଯେତିକି ଚର୍ଚ୍ଚା ବିରାଟଙ୍କର ଶତକକୁ ନେଇ ତାହା ଠାରୁ ଅଧିକ ଚର୍ଚ୍ଚା ହେଉଛି । ବାଂଲାଦେଶ ବିପକ୍ଷରେ ଶତକ ସହ ବିରାଟ ଦିନିକିଆରେ ୪୮ତମ ଶତକ ହାସଲ କରିଛନ୍ତି । ତେବେ ବିରାଟ ଶତକ ପୂରା କରିବା ପୂର୍ବରୁ କୌଣସି ସିଙ୍ଗଲ ରନ୍ ନେଇନଥିଲେ । ଯାହାକୁ ନେଇ କିଛି କ୍ରିକେଟପ୍ରେମୀ କୋହଲିଙ୍କୁ ସ୍ୱାର୍ଥବାଦୀ କ୍ରିକେଟର ବୋଲି କହିଥିଲେ । ନିଜର ବ୍ୟକ୍ତିଗତ ରେକର୍ଡ ପାଇଁ କୋହଲି ସିଙ୍ଗଲ ନେଉନଥିଲେ ବୋଲି କହିଥିଲେ । କିନ୍ତୁ ମ୍ୟାଚ୍ ପରେ କୋହଲିଙ୍କ ଶତକ ପଛର ସତ କହିଥିଲେ ସାଥୀ ଖେଳାଳୀ କେଏଲ ରାହୁଲ ।

କୋହଲି ୭୪ ରନରେ ବ୍ୟାଟିଂ କରୁଥିବା ବେଳେ ମ୍ୟାଚ୍ ଜିତିବାକୁ ଭାରତକୁ ଆବଶ୍ୟକ ଥିଲା ୨୫ ରନ୍ । କିନ୍ତୁ ଏହାପରେ ପରବର୍ତ୍ତୀ ୨୦ଟି କୋହଲି ନିଜ ପାଖରେ ଷ୍ଟ୍ରାଇକ ରଖିବା ସହ ନିଜର ଶତକ ପୂରା କରିଥିଲେ । ଅନେକ ସମୟରେ ସିଙ୍ଗଲ ନେବାକୁ ସୁଯୋଗ ଥିଲେ ମଧ୍ୟ ସିଙ୍ଗଲ ନେଇନଥିଲେ କୋହଲି । ଯାହାକୁ ନେଇ କ୍ରିକେଟପ୍ରେମୀ କୋହଲିଙ୍କୁ ସୋସିଆଲ ମିଡ଼ିଆରେ ଟାର୍ଗେଟ କରିଥିଲେ । କିନ୍ତୁ ମ୍ୟାଚ୍ ପରେ କୋହଲି ସିଙ୍ଗଲ ନ ନେବା ପଛର କାରଣ ରାହୁଲ କହିଥିଲେ । ରାହୁଲ କହିଛନ୍ତି, ଯେତେବେଳେ କୋହଲି ୭୦ ରନରେ ବ୍ୟାଟିଂ କରୁଥିଲେ ସେତେବେଳେ ମୁଁ ତାଙ୍କୁ କହିଥିଲି କି ମୁଁ ସବୁ ବଲ ଡିଫେନ୍ସ କରିବି । ତୁମେ ବଡ ସଟ୍ ଖେଳ । ଏପରିକି ସିଙ୍ଗଲର ସୁଯୋଗ ଥିଲେ ମଧ୍ୟ ମୁଁ ନେଇନଥିଲି । କେବଳ ଓଭରର ଶେଷ ବଲରେ ସିଙ୍ଗଲ ନେଇ ପୁଣି କୋହଲିଙ୍କୁ ଷ୍ଟ୍ରାଇକ ଦେଉଥିଲି । ଯାହାକୁ ନେଇ କୋହଲି କହିଥିଲେ, ଯଦି ତୁମେ ସିଙ୍ଗଲ ରନ୍ ନନେବ ତେବେ ଏହା ଖରାପ ବାର୍ତ୍ତା ଦେବ । ଲୋକ ଏହା ଭାବିବେ ଯେ, ମୁଁ ବ୍ୟକ୍ତିଗତ ସ୍କୋର ପାଇଁ ଖେଳୁଛି । କିନ୍ତୁ ସେତେବେଳେ ମୁଁ କହିଥିଲି, ଏବେ ଆମେ ବେଶ ଆରାମରେ ମ୍ୟାଚ୍ ଜିତିପାରିବା । ତୁମେ ତୁମର ଶତକ ପୂରା କର ।

ଶେଷରେ ରାହୁଲଙ୍କ ଜିଦ୍ ରହିଥିଲା । ବିରାଟ କୋହଲି ନିଜ ପାଖରେ ଷ୍ଟ୍ରାଇକ ରଖିବା ସହ ବଡ ସଟ୍ ଖେଳିଥିଲେ । ଶେଷରେ ଛକା ମାରି ଦିନିକିଆରେ ନିଜର ୪୮ତମ ଶତକ ହାସଲ କରିଥିଲେ କୋହଲି । ନିଜର ଶତକୀୟ ଇନିଂସରେ କୋହଲି ୬ଟି ଚୌକା ଓ ୪ଟି ଛକା ମାରିଥିଲେ । ଏହାସହ ଅନେକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି କୋହଲି । ଅର୍ନ୍ତଜାତୀୟ କ୍ରିକେଟରେ ୨୬ ହଜାର ରନ୍ ପୂରା କରି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ସଚିନ ୬୦୦ ଇନିଂସରୁ ଏହି ଉପଲବ୍ଧି ହାସଲ କରିଥିବା ବେଳେ କୋହଲି ୫୬୭ ଇନିଂସରୁ ୨୬ ହଜାର ରନ୍୍ ପୂରା କରିଛନ୍ତି । ଏହାସହ ଚଳିତ ବିଶ୍ୱକପରେ ଜବରଦସ୍ତ ଫର୍ମରେ ମଧ୍ୟ ରହିଛନ୍ତି କୋହଲି । ୪ଟି ମ୍ୟାଚରୁ କୋହଲି ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୨୫୯ ରନ୍ କରିଛନ୍ତି ।