ମନ୍ତ୍ରୀ ହୋଇପାରନ୍ତି ବିକ୍ରମ କେଶରୀ ଆରୁଖ: ସଂଧ୍ୟାରେ ନବୀନ ନିବାସରୁ ନେତାଙ୍କ ପାଖକୁ ଆସିପାରେ ଫୋନ୍

307

କନକ ବ୍ୟୁରୋ: ମନ୍ତ୍ରୀ ହୋଇପାରନ୍ତି ବିକ୍ରମ କେଶରୀ ଆରୁଖ । ସୂଚନା ଅନୁସାରେ ବିକ୍ରମ କେଶରୀ ଆରୁଖ ଭୁବନେଶ୍ୱର ଫେରୁଛନ୍ତି । ସେପଟେ ଅତାବିରା ବିଧାୟିକା ସ୍ନେହାଙ୍ଗୀନୀ ଛୁରିଆ ମଧ୍ୟ ଭୁବନେଶ୍ୱର ଫେରୁଥିବା ଜଣାପଡିଛି । ଆଉ କିଛି ସମୟ ଭିତରେ, ବିଧାୟକ ଓ ମନ୍ତ୍ରୀଙ୍କୁ ଫୋନ୍ କଲ ଆସିପାରେ । କାହାକୁ ନୂଆ ମନ୍ତ୍ରୀ ପଦ ମିଳିବ ଓ ଆଉ କିଏ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବ, ତାକୁ ନେଇ ନେତାଙ୍କ ଛାତି ଧଡପଡ ହେବାରେ ଲାଗିଛି । ଅନ୍ୟପଟେ ଆସନ୍ତାକାଲି ସକାଳ ୯ଟା ୫୦ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି । ୯ଟା ୫୦ରେ ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କାହା ମୁଣ୍ଡରେ ନବୀନ ସୁନାକଳସ ଢାଳିବେ ସେନେଇ ଚର୍ଚ୍ଚା ଜୋର ଧରିଛି । ହେଲେ କାହାକୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ହେର୍ଡକ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବିଜେଡି ବିଧାୟକଙ୍କ ହୃଦ୍ସ୍ପଦନ ବଢିବାରେ ଲାଗିଛି ।

ଏବେ ଆସନ୍ତୁ ଦେଖିବା କିଏ କିଏ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । କାହା ନାଁ ଅଧିକ ଚର୍ଚ୍ଚାରେ ରହିଛି । ଦୀପାଳି ଦାସ, ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି । ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରରୁ ବିଧାୟିକା ଅଛିନ୍ତି ଲତିକା ପ୍ରଧାନ । ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଗତ ସପ୍ତାହରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ । ତେଣୁ ପରବର୍ତୀ ବାଚସ୍ପତି କିଏ ହେବ ସେ ନେଇ ବି ଅଙ୍କକଷା ଚାଲିଛି । ଏବେ ଆସନ୍ତୁ ଦେଖିବା କିଏ ହୋଇପାରନ୍ତି ବାଚସ୍ପତି । ଚର୍ଚ୍ଚାରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଅମର ଶତପଥୀ ଓ ପ୍ରଫୁଲ୍ଲ ସାମଲ । ଦେବୀ ମିଶ୍ରଙ୍କ ନାଁ ବାଚସ୍ପତି ରେସରେ ଚର୍ଚ୍ଚାରେ ଅଛି । ବଡମ୍ବାରୁ ବିଧାୟକ ଥିବା ଦେବୀ ମିଶ୍ର ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି । ସେହିଭଳି ବଡଚଣାରୁ ବିଧାୟକ ଥିବା ଅମର ଶତପଥୀ ବିଜେଡିର ଜଣେ ବରିଷ୍ଠ ନେତା । ସେ ମଧ୍ୟ ପୂର୍ବରୁ ମନ୍ତ୍ରୀ ଓ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିଭଳି ବିଜେଡିରେ ଆଉ ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ୧୯୯୦ରୁ ବର୍ତମାନ ସୁଦ୍ଧା ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଲେଣି । ଭଦ୍ରକରୁ ୩ଥର ନିର୍ବାଚିତ ହୋଇଥିବାବେଳେ ଭଣ୍ଡାରୀପୋଖରୀରୁ ୩ ଥର ନିର୍ବାଚିତ ହୋଇଛନ୍ତି । ବର୍ତମାନ ସେ ଭଣ୍ଡାରୀପୋଖରୀରୁ ବିଧାୟକ ଅଛନ୍ତି । –ରାଜ୍ୟ ମନ୍ତ୍ରିମଣ୍ଡଳର ବି ପ୍ରତିନିଧିତ୍ୱ କରିସାରିଛନ୍ତି ।