ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା? ଜବାବ୍ ରଖିଲେ କେକେଆର୍ ଷ୍ଟାର ରିଙ୍କୁ ସିଂ । ପଢନ୍ତୁ, ସେ କଣ କହିଲେ…

559

କନକ ବ୍ୟୁରୋ: ଏଥର ଆଇପିଏଲରେ ନିଜର ଜଲୱା ଦେଖାଇଛନ୍ତି କେକେଆର ଷ୍ଟାର ରିଙ୍କୁ ସିଂ । ପ୍ରତିଟି ମ୍ୟାଚରେ ସେ ଜବରଦସ୍ତ ଇଂନିସ୍ ଖେଳିବା ସହିତ ନିଜ ଟିମକୁ ବିଜୟ ଭେଟି ଦେଇଛନ୍ତି । ତେବେ ଶନିବାର ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ସେ ଯେଉଁଭଳି ଭାବେ ରନ୍ ସଂଗ୍ରହ କଲେ, ଏହାପରେ ତୁରନ୍ତ ତାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବାକୁ ଦାବି ହେଉଛି । ଖୁବଶୀଘ୍ର ଏହି ଖେଳାଳିଙ୍କୁ ବ୍ଲୁ-ଜର୍ସିରେ ଦେଖିବାକୁ ଅନେକ ଲୋକ ଦାବି ମଧ୍ୟ କଲେଣି । ହେଲେ ଏହାରି ଭିତରେ ଟିମ୍ ଇଣ୍ଡିଆକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଜେ ରିଙ୍କୁ ସିଂ ।

ଲକ୍ଷ୍ନୌ-କୋଲକାତା ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେଇଥିଲେ ରିଙ୍କୁ ସିଂ । ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ଟିମ୍ ଇଣ୍ଡିଆରେ ଚୟନ ନେଇ ପ୍ରଶ୍ନ କରିଥିଲେ । ତେବେ ଏହି ସମୟରେ ରିଙ୍କୁ ସିଂ କହିଥିଲେ – ସେ ଏବେ ଟିମ୍ ଇଣ୍ଡିଆରେ ଚୟନ କଥା ଚିନ୍ତା କରୁନାହାଁନ୍ତି । ଟିମ୍ ଇଣ୍ଡିଆରେ ଚୟନ ହେବା ତାଙ୍କ ହାତରେ ନାହିଁ । ତେବେ ଯାହା ତାଙ୍କ ହାତରେ ଅଛି, ସେ ତାହାରି ଉପରେ ହିଁ କାମ କରିବା ଜାରି ରଖିବେ ବୋଲି କହିଛନ୍ତି ରିଙ୍କୁ ସିଂ ।

ତେବେ ରିଙ୍କୁ ସିଂ ହେଉଛନ୍ତି ଏମିତି ଜଣେ ଖେଳାଳି, ଯିଏ ଏଥର ସବୁ ଖେଳାଳିଙ୍କଠାରୁ ପ୍ରଂଶସା ପାଇଛନ୍ତି । ଖୋଦ୍ ତାଙ୍କ ଦଳର କ୍ୟାପଟେନ୍ ନୀତିଶ ରାଣା ମଧ୍ୟ ରିଙ୍କୁଙ୍କର ପ୍ରଂଶସା କରିଛନ୍ତି । ନୀତିଶ ରାଣା କହିଛନ୍ତି ଯେ, ଏ ସ୍ଥାନକୁ ପହଞ୍ଚିବାକୁ ରିଙ୍କୁ ବହୁତ ପରିଶ୍ରମ କରିଛନ୍ତି । ସାରା ଦେଶକୁ ଜଣା ଅଛି, ସେ କଣ କରିଛନ୍ତି । ତେବେ ଭବିଷ୍ୟତରେ ମଧ୍ୟ ସେ ଅନେକ କିଛି କରିପାରିବେ ବୋଲି କେକେଆର ଟିମର କ୍ୟାପଟେନ୍ ନୀତିଶ ରାଣା କହିଛନ୍ତି ।

ଶନିବାର ଲକ୍ଷ୍ନୌ-କୋଲକାତା ମ୍ୟାଚରେ ବିଜୟଠୁ ବହୁତ ଦୂରରେ ଥିଲା କେକେଆର୍ । ହେଲେ ଶେଷରେ ରିଙ୍କୁ ସିଂଙ୍କ ଭୟଙ୍କର ଇଂନିସ୍ ଯୋଗୁ କେକେଆର୍ ବିଜୟଠୁ ମାତ୍ର ୧ ରନ ପଛରେ ରହିଗଲା । ଏହି ମ୍ୟାଚରେ ରିଙ୍କୁ ମାତ୍ର ୩୩ ବଲ୍ ଖେଳି ୬୭ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇଂନିସରେ ସେ ୬ଟି ଚୌକା ସହିତ ୪ଟି ବିଶାଳ ଛକା ମଧ୍ୟ ମାରିଥିଲେ । ତେବେ ଚଳିତ ସିଜିନରେ କେକେଆର ପାଇଁ ଜଣେ ମ୍ୟାଚ୍ ଫିନିସର୍ ହେଇ ଉଭା ହେଇଛନ୍ତି ରିଙ୍କୁ ସିଂ । ଲିଗ୍ ପର୍ଯ୍ୟାୟ ଶେଷ ହେଲା ବେଳକୁ ସେ ମୋଟ ୫୧୦ ରନ୍ ସଂଗ୍ରହ କରିଥିବାବେଳେ, ୪ଟି ଅର୍ଦ୍ଧଶତକ ମାରିଛନ୍ତି ।