ମହାନଦୀ ଟ୍ରିବ୍ୟୁନାଲକୁ ବୟକଟ ପାଇଁ ବିଜୟ ମହାପାତ୍ରଙ୍କ ଆହ୍ୱାନ। ନରସିଂହ କହିଲେ, ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଉନାହାନ୍ତି ସରକାର ।

149

କନକ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଜୋର ଧରିଲା ରାଜନୀତି । ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ । ହୀରକୁଦ ଇତିହାସରେ ଏମିତି ପ୍ରଥମଥର ସଙ୍କଟ ଦେଖାଦେଇଛି । ହୀରାକୁଦ ଜଳସ୍ତର ଏବେ ତଳସ୍ତରକୁ ଚାଲିଯିବ କେହି ଅନୁମାନ କରିନଥିବେ । ଜୁନ୍ ମାସରେ ହୀରାକୁଦ ଡେଡ୍ ଷ୍ଟୋରେଜକୁ ଆସିଯିବ । ଛତିଶଗଡ଼ ସରକାର କିଛି ପାଣି ଛାଡିଲେ କିଛି ସମାଧାନ ହୋଇପାରିବ । ଟ୍ରିବ୍ୟୁନାଲକୁ ଅପେକ୍ଷା ନକରି ଟ୍ରିବ୍ୟୁନାଲକୁ ବୟକଟ୍ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଏପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ୨ ହଜାର ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହୋଇଆସୁଛି । ଗୃହରେ ଦୁଇ ଦୁଇଟି ଗୃହ କମିଟି ଗଠନ ହୋଇଛି । ଗୋଟିକରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟଟିରେ ବାଚସ୍ପତି ଚେୟାରମ୍ୟାନ୍ ଅଛନ୍ତି । ଥରଟିଏ ବୈଠକ ଡାକିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳମାନଙ୍କୁ ବିଶ୍ୱାସକୁ ନିଆଯାଉନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପଡୋଶୀ ରାଜ୍ୟ ଯେଉଁମାନେ ଆରମ୍ଭରୁ ଅଛନ୍ତି, ସେମାନେ କିଛି ପରିମାଣରେ ବାଧକ ସାଜିଛନ୍ତି । ପ୍ରକୃତି ଆମକୁ ଯେତିକି ଦେଉଛି, ପଡୋଶୀଙ୍କ ସହ କଳିନକରି ତତ୍ପରନାସ୍ତି ଉଦ୍ୟମ କରିବା ଉଚିତ । ବ୍ରାହ୍ମଣୀ, ବୈତରଣୀ ପାଣି କେମିତି ବହିନଯାଉ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।