ଝିଅ ପାଇଁ କ୍ଷମା ମାଗିଲେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା

248

କନକ ବ୍ୟୁରୋ : ଝିଅ ପାଇଁ କ୍ଷମା ମାଗିଲେ ମିଜୋରାମ ମୁଖ୍ୟମନ୍ତ୍ରୀ । ଜୋରାମଥାଙ୍ଗା ଝିଅର ଭିଡିଓ ଭାଇରାଲ ହେବା ପରେ କ୍ଷମା ମାଗିଛନ୍ତି । ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ ସେ ତାଙ୍କ ଝିଅର ଏହି ଆଚରଣକୁ ନିନ୍ଦା କରୁଛନ୍ତି । ତାଙ୍କ ଝିଅ ଡାକ୍ତରଙ୍କ ନିକଟକୁ ଯାଇ ତାଙ୍କୁ କ୍ଷମା ମାଗିଛନ୍ତି ।

ସୂଚନାଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଝିଅ ମିଲାରୀ ଛାଙ୍ଗତେ ଜଣେ ଡାକ୍ତରଙ୍କୁ ଚାପୁଡ଼ା ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ବୁଧବାର ଦିନ ଘଟିଥିବା ଏହି ଘଟଣାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ଶନିବାର ଦିନ ଏହି ଆକ୍ରମଣକୁ ନିନ୍ଦା କରି ୮୦୦ରୁ ଅଧିକ ଡାକ୍ତର ବିରୋଧ କରିଥିଲେ ।

ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ଡାକ୍ତର କହିଥିଲେ ଯେ ଛାଙ୍ଗତେ ଆଇଜଲରେ ଜଣେ ଚର୍ମ ରୋଗ ବିଶେଷଜ୍ଞଙ୍କ ଉପରେ ଆକ୍ରମଣ କରିଥିଲେ । ଡାକ୍ତର ଛାଙ୍ଗତେଙ୍କୁ କହିଥିଲେ ଯେ ସେ କ୍ଲିନିକକୁ ଆପଏନମେଣ୍ଟ ଆଣି ଆସିବାର ଥିଲା । ବାସ ଏତିକି କଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଝିଅ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ ସମୟର ଭିଡିଓ କ୍ଲିନିକରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା । ଆଉ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା ।