ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାଁରେ ହେରଫେର ଅଭିଯୋଗ : ୩ କୋଟିରୁ ଅଧିକ ଟଙ୍କାର ଅନିୟମିତତା ନେଇ ଥାନାରେ ଏତଲା

144

କନକ ବ୍ୟୁରୋ : ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ବା ୟୁସିସିସି ନାମରେ ଥିବା ପାଣ୍ଠିର ବ୍ୟାପକ ହେରଫେର ଅଭିଯୋଗ । ୩ କୋଟିରୁ ଅଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ପୁରୀଘାଟ ଥାନାରେ ଏ ନେଇ ଏତଲା ଦିଆଯାଇଛି । ଏତଲା ଅନୁଯାୟୀ ୟୁସିସିସିର ଏକ ଶାଖା ଭାବେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁର୍ସ ଆସୋସିଏସନକୁ ଦର୍ଶାଇ ନୂଆ ସଦସ୍ୟଙ୍କ ନିକଟରୁ ବହୁବର୍ଷ ଧରି ଅର୍ଥ ଲୁଟ୍ ହୋଇଆସୁଛି । କିନ୍ତୁ ଏଭଳି କୌଣସି ଶାଖା ସଂସ୍ଥା ପଞ୍ଜିକୃତ ହୋଇ ନଥିବା ବେଳେ ଯୋଜନାବଦ୍ଧ ଭାବେ ଅର୍ଥ ଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ଓଲିଉଡ ଫିଲ୍ମର କିଛି ପ୍ରଯୋଜକ ଏ ନେଇ ପୁରୀଘାଟ ଥାନାରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଓଡିଆ ଚଳଚ୍ଚିତ୍ର ନିର୍ମାତା, ବିତରକ ଏବଂ ଏକ୍ଜିବିର୍ଟଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୟୁସିସିସି ୧୯୯୩ରେ ଗଠନ କରାଯାଇଥିଲା । ସୋସାଇଟିସ୍ ଆକ୍ଟ ଅନୁଯାୟୀ ଏହା ପଞ୍ଜୀକରଣ କରାଯାଇଛି । ସମୟକ୍ରମେ ନୂଆ ପ୍ରଡକ୍ସନ ହାଉସ୍, ବିତରକ, ଏକ୍ଜିବିର୍ଟମାନେ ଏହି ସଂସ୍ଥା ସହିତ ଯୋଡ଼ି ହୋଇଛନ୍ତି । କିନ୍ତୁ କାର୍ଯ୍ୟନିର୍ବାହୀ କମିଟି ପାଇଁ ଅଫିସ୍ ବିୟରର୍ସଙ୍କ ଉପଯୁକ୍ତ ନିର୍ବାଚନ ହୋଇନାହିଁ । ଗଲା ଦୁଇ ଦଶନ୍ଧି ତଳେ ନିର୍ବାଚନ ହୋଇଥିଲା । କିଛି ସଦସ୍ୟଙ୍କ ଏହାରି ଭିତରେ ଦେହାନ୍ତ ହୋଇଯାଇଛି । କିନ୍ତୁ ସେମାନଙ୍କ ପରେ କୌଣସି ଉପନିର୍ବାଚନ କରାଯାଇନାହିଁ । ସୋସାଇଟିର କିଛି ସଦସ୍ୟ ନିଜେ ନିର୍ବାଚନ ତାରିଖ ସ୍ଥିର କରୁଛନ୍ତି । କିନ୍ତୁ ସାଧାରଣ ପରିଷଦ ବୈଠକ ନଡ଼ାକି ଚୟନ ପଦ୍ଧତି ମାଧ୍ୟମରେ ସେମାନେ ନିଜକୁ ଅଫିସ୍ ବିୟରର୍ସ ଭାବେ ପୁନଃ ନିଯୁକ୍ତ କରୁଛନ୍ତି ।

ଅନେକ ନୂଆ ସଦସ୍ୟ ୟୁସିସିସିରେ ଯୋଗ ଦେଉଥିବା ବେଳେ ସେମାନଙ୍କୁ ଓଡ଼ିଶା ଫିଲ୍ମ ପ୍ରଡ୍ୟୁର୍ସ ଆସୋସିଏସନ୍ ନାଁରେ ଏକ ରସିଦ୍ ପ୍ରଦାନ କରାଯାଇଛି । ଉକ୍ତ ଅନୁଷ୍ଠାନ ୟୁସିସିସିର ଏକ ଶାଖା ବୋଲି ଦର୍ଶାଯାଉଛି । କିନ୍ତୁ ଏଭଳି କୌଣସି ପଞ୍ଜିକୃତ ଶାଖା ନଥିବା ବେଳେ ୟୁସିସିସିର ବାଇ ଲରେ ଏଭଳି କୌଣସି ଶାଖା ଗଠନ ପାଇଁ ଅନୁମତି ବି ଦିଆଯାଇନାହିଁ ବୋଲି ସୂଚନା ରହିଛି । ଏବେ ଏତଲା ଗ୍ରହଣ କରିବା ପରେ ପୁରୀଘାଟ ଥାନା ଅନିୟମିତତା ଦିଗକୁ ନେଇ ତଦନ୍ତ କରିବ । ତଦନ୍ତ ସମୟରେ କିଛି ଅନିୟମିତତା ହୋଇଥିବା ଜଣାପଡ଼ିଲେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।