ପୁଣି ଚର୍ଚ୍ଚାରେ କଳାବତୀ : ଲୋକସଭାରେ ଅମିତ ଶାହା କହିଥିଲେ ମହାରାଷ୍ଟ୍ର ମହିଳାଙ୍କ କାହାଣୀ; ରାହୁଲଙ୍କୁ କଲେ କଟାକ୍ଷ

371

କନକ ବ୍ୟୁରୋ : ମହାରାଷ୍ଟ୍ର, ବିଦଭ୍ର ଅଞ୍ଚଳର କଳାବତୀ ବନ୍ଦୁରକରଙ୍କୁ ନେଇ ପୁଣିଥରେ ସାରା ଦେଶରେ ଚର୍ଚ୍ଚା । ୨୦୦୮ ମସିହାରେ କଳାବତୀଙ୍କୁ ତାଙ୍କ ଘରକୁ ଯାଇ ଭେଟିଥିଲେ ରାହୁଲ ଗାନ୍ଧୀ । ଚାଷ ରୁଣରେ ବୁଡି କଳାବତୀଙ୍କ ସ୍ୱାମୀ ଆତ୍ମହତ୍ୟା କରିବା ପରେ କଳାବତୀଙ୍କ ସ୍ଥିତି ବହୁତ ଖରାପ ହୋଇଯାଇଥିଲା । କଳାବତୀଙ୍କ ୭ଟି ଝିଅ ଓ ୨ ପୁଅ ଅଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ବେଳକୁ ତିନି ଝିଅଙ୍କ ବିବାହ ହୋଇ ସାରିଥିଲା । ଆଉ ଚତୁର୍ଥ ଝିଅର ବାହାଘର ହେବାର ଥିଲା । ଏହି ସମୟରେ ରୁଣରେ ବୁଡି କଳାବତୀଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଅନ୍ୟର ଚାଷ ବିଲରେ କାମ କରୁଥିଲେ କଳାବତୀ । ସେତେବେଳେ ତାଙ୍କୁ ଭେଟିଥିଲେ ରାହୁଲ । ଏ ହେଉଛି ସେହି ସମୟର ଦୃଶ୍ୟ । ୨୦୦୮ ମସିହାରେ ରାହୁଲ ଗାନ୍ଧୀ କଳାବତୀଙ୍କୁ ଭେଟି ତାଙ୍କ ଦୁଃଖ କଥା ଶୁଣିଥିଲେ । ତାଙ୍କ ସହ ବସି ଖାଇଥିଲେ ।

ବୁଧବାର ଲୋକସଭାରେ ନିଜ ବକ୍ତବ୍ୟ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି କଳାବତୀ ବୁନ୍ଦେଲକରଙ୍କ ନାଁ ନେଇଥିଲେ । ରାହୁଲଙ୍କ ନାଁ ନନେଇ କହିଥିଲେ, ରାଜନୀତିରେ ଲଂଚ କରିବା ପାଇଁ ରାହୁଲ ଯାଇ କଳାବତୀଙ୍କ ଘରେ ଖାଇଥିଲେ । ଆଉ ଏହାପରେ କଂଗ୍ରେସ ଆହୁରି ୫ ବର୍ଷ ସରକାରରେ ରହିଥିଲା । ମାତ୍ର ସେହି ଭିତରେ ସେତେବେଳର କଂଗ୍ରେସ ସରକାର କଳାବତୀଙ୍କ ଦାରିଦ୍ର୍ୟ ଦୂର କରିବା ପାଇଁ କିଛି କରି ନଥିବା କହିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା । ବରଂ ବିଜେପି ସରକାରରେ ଆସିବା ପରେ କଳାବତୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛି ।

ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ ପରେ ଏବେ ଜାତୀୟ ଗଣମାଧ୍ୟମରେ କଳାବତୀଙ୍କୁ ନେଇ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇ ଯାଇଛି । କଳାବତୀ ମଧ୍ୟ ସାମ୍ନାକୁ ଆସି ପୁଣିଥରେ ନିଜ କଥା ବଖାଣିଛନ୍ତି । ୨୦୦୫ରେ ସ୍ୱାମୀ ରୁଣରେ ବୁଡି ଆତ୍ମହତ୍ୟା କରିବା ପରେ ତାଙ୍କୁ ସେତେବେଳେ ଭେଟିବାକୁ ଯାଇଥିଲେ ରାହୁଲ । କେବଳ ସେତିକି ନୁହେଁ ଫେରିବା ବେଳେ ତାଙ୍କ ହାତରେ ୩ ଲକ୍ଷ ଟଙ୍କାର ଚେକ୍ ଧରାଇଥିଲେ । କଳାବତୀଙ୍କୁ, ରାହୁଲ କୌଣସି ସହାୟତା କରି ନଥିବା, ସଂସଦରେ ଅଭିଯୋଗ କରିଛନ୍ତି ଅମିତ ଶାହା । ତେବେ କଳାବତୀ କହିଛନ୍ତି, ତାଙ୍କ କାହାଣୀ ।

କଳାବତୀଙ୍କ କାହାଣୀ

– ରାହୁଲ ମତେ ଭେଟିଲେ, ମୋର ଦାରିଦ୍ର୍ୟପଣ ଦୂର କରିଛନ୍ତି
– ଏବେ ମୁଁ ସନ୍ତୁଷ୍ଟ ଅଛି, ଆର୍ଥିକ ଭାବେ ସ୍ୱଚ୍ଛଳ ଅଛି
– ପ୍ରଥମେ ୩ ଲକ୍ଷ ଟଙ୍କାରେ ଚେକ୍ ଦେଇଥିଲେ ରାହୁଲ
– ଶୁଲଭ ଇଂଟରନ୍ୟାସନାଲ ନାମକ ଏନଜିଓ ପକ୍ଷରୁ ମିଳିଲା ୩୦ ଲକ୍ଷ ଟଙ୍କା
– ଯାହା ବ୍ୟାଙ୍କ ଖାତାରେ ଯମା ଅଛି
– ଏହି ଟଙ୍କାର ସୁଧ ବାବଦକୁ ମାସିକ ୨୫ ହଜାର ଟଙ୍କା ମିଳୁଛି
– ଏହି ଟଙ୍କାରେ ମୁଁ ପିଲାଛୁଆଁଙ୍କୁ ପାଠ ପଢାଇବା ସହ ପରିବାର ଚଳାଇଛି
– ପ୍ରଥମେ ଝାଟି ମାଟିର ଘର ଥିଲା ଏବେ କୋଠା ଘର ତୋଳି ପାରିଛି
– ୨୦୦୮ରେ ରାହୁଲ ଭେଟିବା ପରେ ସାରା ଦେଶରୁୁ ଆର୍ଥିକ ସହାୟତା ମିଳିଛି
– ହେଲେ ଏବେ ବି ଚାଷ କାମ କରୁଛି
– ଘରେ ବସି ରହିବାକୁ ମତେ ଭଲ ଲାଗେ ନାହିଁ
– ହେଲେ, ୨୦୧୦ରେ ଚାଷରେ କ୍ଷତି ସହି ମୋ ଜ୍ୱାଇଁ ଆତ୍ମହତ୍ୟା କରିଥିଲେ