ରାହୁଲ ଗାନ୍ଧୀ ନା ପ୍ରଧାନମନ୍ତ୍ରୀ ମୋଦୀ କିଏ କରିଥିଲେ ସାହାଯ୍ୟ ? ସଂସଦରେ ଅମିତ ଶାହାଙ୍କ ଦାବି ପରେ ମୁହଁ ଖୋଲିଲେ କଳାବତୀ

453

କନକ ବ୍ୟୁରୋ : ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହା ମହାରାଷ୍ଟ୍ରର ବିଦର୍ଭରେ କଳାବତୀ ବନ୍ଦୁରକରଙ୍କ କଥା କହିଥିଲେ । ଅମିତ୍ ଶାହା ଦାବି କରିଥିଲେ କି, ରାହୁଲ ଗାନ୍ଧୀ ଯେଉଁ ଗରିବ ମହିଳା କଳାବତୀଙ୍କ ଘରେ ଭୋଜନ କରିଥିଲେ ସେହି ମହିଳାଙ୍କୁ ସାହାଯ୍ୟ ରାହୁଲ ଗାନ୍ଧୀ ନୁହେଁ ବରଂ ମୋଦୀ କରିଥିଲେ । ଶାହାଙ୍କ ଏହି ବୟାନ ପରେ ବିଧବା କୃଷକ କଳାବତୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ କଳାବତୀ ଅମିତ ଶାହାଙ୍କ ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଅମିତ ଶାହା ସଂସଦରେ ମିଛ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ଭେଟ ପରେ ତାଙ୍କୁ ସହାୟତା ମିଳିଥିଲା ଓ ବିଜେପିର ସେହି ସହାୟତା ସହ କୌଣସି ସଂପର୍କ ନଥିବା କଥା ସେ ରୋକଠୋକ ମନା କରିଦେଇଛନ୍ତି ।

ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଥିଲେ କି, ରାହୁଲ ଗାନ୍ଧୀ ବୁନ୍ଦେଲଖଣ୍ଡର ଗରିବ ମହିଳା କଳାବତୀଙ୍କ ଘରେ ଭୋଜନ କରି ସଂସଦରେ ଗରିବଙ୍କ ବାବଦରେ ବର୍ଣ୍ଣନା କରିଥିଲେ । ହେଲେ ସେହି ଗରିବ ମହିଳାଙ୍କ ପ୍ରତି କଂଗ୍ରେସ ସରକାର କଣ ସହାୟତା କରିଥିଲା କି ? ବରଂ ମୋଦୀ ସରକାର କଳାବତୀଙ୍କ ଘରକୁ ବିଜୁଳି, ସୌଚାଳୟ ଓ ଗରିବ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ତେଣୁ ଯେଉଁ କଳାବତୀଙ୍କ ଘରେ ରାହୁଲ ଗାନ୍ଧୀ ଭୋଜନ କରିଥିଲେ ସେହି କଳାବତୀ ବି ମୋଦୀଙ୍କ ସମର୍ଥନରେ ଠିଆ ହୋଇଛି ବୋଲି ଅମିତ୍ ଶାହା କହିଥିଲେ । ଏହାପରେ ଅମିତ ଶାହା ମଧ୍ୟ ଆଉ ଏକ ଭୁଲ ତଥ୍ୟ ସଂସଦରେ ଉପସ୍ଥାପନ କରିଥିଲେ । ଯାହା କି କଳାବତୀଙ୍କ ବାସ୍ତବ ଘର ବୁନ୍ଦେଲଖଣ୍ଡ ବୋଲି ଅମିତ ଶାହା କହିଥିବା ବେଳେ ବାସ୍ତବରେ ଯେଉଁ କଳାବତୀଙ୍କ ଘରେ ରାହୁଲ ଗାନ୍ଧୀ ଭୋଜନ କରିଥିଲେ ତାଙ୍କ ଘର ମହାରାଷ୍ଟ୍ରର ୟବତମାଲରେ ।

କଳାବତୀଙ୍କ ପ୍ରୁ ପ୍ରୀତମ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ସହ ଭେଟ ପରେ ରାହୁଲ ଗାନ୍ଧୀ ଆମ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ଯୋଗାଇବା ସହ ଆମ ପାଇଁ ଘରର ବ୍ୟବସ୍ଥା କରିଥିଲେ । କେବଳ ସେତିକି ନୁହେଁ ଘରକୁ ପାଣି ଯୋଗାଣ ଓ ବିଜୁଳି ସଂଯୋଗ ମଧ୍ୟ ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିଲା । ପ୍ରୀତମ କହିଛନ୍ତି କି, ସେତେବେଳେ ଆମକୁ ଯାହା ମିଳିଛି ତାହା କେବଳ ରାହୁଲ ଗାନ୍ଧୀଙ୍କ ପାଇଁ ମିଳିଛି ।