ସିଆଇଏସଏଫ କନେଷ୍ଟବଳଙ୍କ ଉନ୍ମତକାଣ୍ଡ : ଉପରିସ୍ଥ ଅଫିସରଙ୍କ ଉପରେ ଆଖିବୁଜା ଗୁଳିମାଡ କଲେ ଓଡିଆ କନେଷ୍ଟବଳ

262

କନକ ବ୍ୟୁରୋ : କୋଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ କନଷ୍ଟେବଳ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଗୁଳିମାଡ କରିଥିବା କନଷ୍ଟେବଳ ଓଡିଆ ହୋଇଥିବାବେଳେ ପ୍ରାଣ ହରାଇଥିବା ଏଏସଆଇ ବି ଓଡିଆ ବୋଲି ସୂଚନା ମିଳିଛି । ଗୁଳିମାଡ କରିଥିବା କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଓ ପ୍ରାଣ ହରାଇଥିବା ଏଏସଆଇ ରଞ୍ଜିତ ଷଡଙ୍ଗୀ ବୋଲି ଜଣାପଡିଛି ।

ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା । ଅକ୍ଷୟ ମିଶ୍ର ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ । ନିଜର ସର୍ଭିସ ରିଭଲଭରରୁ ଅକ୍ଷୟ ସହଯୋଗୀଙ୍କୁ ଗୁଳିମାଡ କରିଥିଲେ । ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଆହତ ହୋଇଛନ୍ତି । ଅକ୍ଷୟଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗ ପୁଲିସର ଦୁଇଟି ଟିମ ଘଟଣାସ୍ଥଳକୁ ଯାଇଥିଲା । ଏଥିରେ କମାଣ୍ଡୋ ବି ସାମିଲ ହୋଇଥିଲେ । ବୁଲେଟପ୍ରୁଫ ଜାକେଟ ସହ ସେମାନେ ମ୍ୟୁଜିୟମ ଭିତରକୁ ଯାଇଥିଲେ । ଅକ୍ଷୟଙ୍କୁ ଧରିବାକୁ ପଶ୍ଚିମବଙ୍ଗ ପୁଲିସକୁ ନାକେଦମ ହେବାକୁ ପଡିଥିଲା ।

ପ୍ରାୟ ଦୁଇ ଘଣ୍ଟା ଧରି ଅକ୍ଷୟଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲା । ଶେଷରେ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଥିଲା । କୁହାଯାଉଛି, ନିଜ ବାପାଙ୍କ ମୃତ୍ୟୁ ପରେ ଅକ୍ଷୟ ମିଶ୍ରଙ୍କୁ ଛୁଟି ମିଳିନଥିଲା । ଆଉ ଏଥିରେ ଚାପଗ୍ରସ୍ତ ହୋଇ ସେ ଗୁଳିମାଡ କରିଥିବା ଜଣାପଡିଛି । କୋଲକାତାର ମଧ୍ୟସ୍ଥଳରେ ରହିଛି ମ୍ୟୁଜିୟମ । ୨୦୧୯ରୁ କୋଲକାତା ମ୍ୟୁଜିୟମର ସୁରକ୍ଷା ଦାୟିତ୍ୱ ସେଣ୍ଟ୍ରାଲ ଇଂଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ସିଆଇଏସଏଫ ନେଇଛି । ଏହି ମ୍ୟୁଜିୟମ ଏକ ସ୍ୱଂୟଶାସିତ ସଂସ୍ଥା ଓ ଏହା ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ରହିଛି ।