କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ଉମେଶ ପାଲଙ୍କ ପତ୍ନୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ କଲେ ଏହି ଦାବି

1,339

କନକ ବ୍ୟୁରୋ : ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିକ୍ ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କର ଏହି ନିଷ୍ପତ୍ତି ପରେ ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଉମେଶ ପାଲଙ୍କ ପତ୍ନୀ ଜୟା ଦେବୀ । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅତିକ୍ ଅହମ୍ମଦଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ।

ପ୍ରୟାଗରାଜର ଏମପି/ଏମଏଲଏ କୋର୍ଟ ଉମେଶ ପାଲଙ୍କ ଅପହରଣ ମାମଲାରେ ଅତିକ୍ ଅହମ୍ମଦଙ୍କ ସମେତ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ଉମେଶ ପାଲଙ୍କ ପତ୍ନୀ ଜୟା ଦେବୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି କି, ଯେତେବେଳ ପର୍ଯ୍ୟନ୍ତ ଅତିକ୍, ଅତିକର ଭାଇ, ଓ ପୁଅଙ୍କୁ ସମାପ୍ତ କରାନଯାଇଛି ସେତେବେଳ ପର୍ଯ୍ୟନ୍ତ ଏଭଳି ଆତଙ୍କ ଜାରି ରହିବ । ‘ମୁଁ ନ୍ୟାୟପାଳିକାର ନିଷ୍ପତ୍ତିକୁ ସମ୍ମାନ ଦେଉଛି । ଏହାସହ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କରୁଛି କି, ଅତିକ୍ ଅହମ୍ମଦଙ୍କୁ ସମାପ୍ତ କଲେ ଯାଇ ଆତଙ୍କ ବନ୍ଦ ହେବ’

ସୂଚନା ଥାଉକି, ଉମେଶ ପାଲଙ୍କୁ ଗତମାସରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଅତିକ୍ ଅହମ୍ମଦ ଓ ତାଙ୍କ ପତ୍ନୀ ଶାଇସ୍ତା ପରବୀନକୁ ଅଭିଯୁକ୍ତ ଭାବେ କୋର୍ଟ ଗ୍ରହଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ଆସିବା ପରେ ଉମେଶ ପାଲଙ୍କ ମା ବି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଅପହରଣ ମାମଲାରେ କୋର୍ଟ ଦେଇଥିବା ରାୟ ସ୍ୱାଗତଯୋଗ୍ୟ ହେଲେ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରାଯାଉ । କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ଉମେଶଙ୍କ ମା କୋର୍ଟଙ୍କ ନିକଟରେ ଗୁହାରୀ କରିଛନ୍ତି ।