ବଢିଲା ଆଧାର ସହ ପ୍ୟାନ୍ ଲିଙ୍କର ସମୟ ସୀମା: ମାର୍ଚ୍ଚ ୩୧ ପରିବର୍ତ୍ତେ ଜୁନ୍ ୩୦ ହେଲା ଶେଷ ତାରିଖ

7,967

କନକ ବ୍ୟୁରୋ: ଆଉ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ସରକାର ଏବେ ଆପଣଙ୍କ ଚିନ୍ତା ଦୂର କରିବା ଦିଗରେ ନେଇଛନ୍ତି ପଦକ୍ଷେପ । ଆଧାର ସହ ପ୍ୟାନ ଲିଙ୍କର ସମୟ ସୀମା ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ କେନ୍ଦ୍ର ସରକାର ଏବେ ଏହି ସମୟ ସୀମାକୁ ପୁଣି ବଢାଇ ଦେଇଛନ୍ତି । ମାର୍ଚ୍ଚ ୩୧ ପରିବର୍ତ୍ତେ ଏବେ ଆଧାର ସହ ପ୍ୟାନ ଲିଙ୍କର ଶେଷ ତାରିଖ ୩୦ ଜୁନ୍ ୨୦୨୩ କରାଯାଇଛି । ଅର୍ଥାତ ଏବେ ଆପଣଙ୍କ ହାତରେ ୩ ମାସର ସମୟ ସୀମା ରହିଛି ।

ଆୟକର ବିଭାଗ ରିପୋର୍ଟ ମୁତାବକ ଏବେ ଯାଏଁ ୨ କୋଟି ପ୍ୟାନକାର୍ଡ ଧାରକ ନିଜ ପ୍ୟାନ କାର୍ଡକୁ ଆଧାର ସହ ଲିଙ୍କ କରିନାହାନ୍ତି । ତେଣୁ ପ୍ୟାନକାର୍ଡ ଧାରକଙ୍କୁ ଆଉ ଟିକେ ଆଶ୍ୱସ୍ତି ଦେଇ ସରକାର ପ୍ୟାନକାର୍ଡ ଲିଙ୍କର ସମୟ ସୀମାକୁ ୩୦ ଜୁନ ଯାଏଁ ବଢାଇ ଦେଇଛନ୍ତି ।

ଇନକମ ଟ୍ୟାକ୍ସର ଧାରା ୧୯୬୧ ଅନୁସାରେ ପ୍ୟାନକାର୍ଡକୁ ଆଧାରକାର୍ଡରେ ଲିଙ୍କ କରିବା ବାଧ୍ୟତାମୂଳକ । ଏମିତି ନକଲେ ଆପଣଙ୍କୁ ଜରିମାନା ଦେବାକୁ ହେବ । ପ୍ୟାନ-ଆଧାର ଲିଙ୍କ ବିନା ଆପଣଙ୍କର ଅନେକ କାମ ମଧ୍ୟ ଅଟକିଯାଇପାରେ । ତେଣୁ କେଇ ମିନିଟ ଭିତରେ ଆପଣ ସହଜରେ ଆପଣଙ୍କ ପ୍ୟାନକାର୍ଡକୁ ଆଧାର ସହ ଲିଙ୍କ କରିପାରିବେ । ଏଥିପାଇଁ ଅନଲାଇନ ଅପ୍ସନ ଅଛି, ଯେଉଁଠି କିଛି ଷ୍ଟେପ ଫଲୋ କରି ଆପଣ ଏହା କରିପାରିବେ ।