‘ମୋ ପୁଅକୁ ଶେଷ କରିଦେବାକୁ ବସିଥିବା ଲୋକଙ୍କ କୋଳରେ ବସିଛ’: ସିନ୍ଦେଙ୍କ ଆଶ୍ରୟରେ ଥିବା ବିଧାୟକଙ୍କୁ ଉଦ୍ଧବଙ୍କ ଟାର୍ଗେଟ

337

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । କହିଛନ୍ତି ମୋ ପୁଅକୁ ଯେଉଁମାନେ ଶେଷ କରିଦେବାକୁ ଚାହୁଁଛନ୍ତି ସେହିମାନଙ୍କ କୋଳରେ ବସିଛ । ଦିନେ ସେମାନେ ମୋତେ ଓ ମୋ ପରିବାର ନାଁରେ ଅପବାଦ ଦେଉଥିଲେ। ସେମାନେ ମୋ ପୁଅ ଆଦିତ୍ୟର ସର୍ବନାଶ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଯଦି ବି‌ଦ୍ରୋହୀ ବିଧାୟକମାନେ ‘ବିଜେପି’ ରହିବାକୁ ଖୁସି ମଣୁଛନ୍ତି, ସେମାନେ ‘ବିଜେପି’ରେ ରୁହନ୍ତୁ। କିନ୍ତୁ ମୋ ପାଇଁ ମୋ ଦଳ ଲୋକଙ୍କ ଦୁଃଖ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି କହିଛନ୍ତି ଉଦ୍ଧବ ।

ସେ ଆହୁରି ମଧ୍ୟ କହିଛନ୍ତି, ବହୁ ଧମକ ପାଇ ମଧ୍ୟ ମୋ ସପକ୍ଷରେ ଥିବା ୧୪ଜଣ ବିଧାୟକଙ୍କ ନିକଟରେ ମୁଁ କୃତଜ୍ଞ। ସେମାନଙ୍କର ସତ୍‌ସାହସ ଏବଂ ସତ୍ୟର ବିଜୟ ହେବ।ସୁପ୍ରିମ୍‌ କୋର୍ଟରେ ୧୧ ତାରିଖ ଦିନ ହେବାକୁ ଥିବା ଶୁଣାଣି ସମ୍ପର୍କରେ ପଚରା ଯିବାରୁ ଠାକ୍‌ରେ କହିଛନ୍ତି, ଅଦାଲତ ଉପରେ ମୋର ଅଟଳ ବିଶ୍ବାସ ଅଛି। ଜୁଲାଇ ୧୧ ତାରିଖରେ ପରିଣତି ଯାହା ହେଉ ନା କାହିଁକି, ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ। ଦଳୀୟ କର୍ମୀମାନେ ହିଁ ‘ଶିବସେନା’ର ଭବିଷ୍ୟତ ନିର୍ଦ୍ଧାରଣ କରିବେ। ସୁପ୍ରିମ୍‌ କୋର୍ଟଙ୍କ ରାୟ ଗଣତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ବାବା ସାହେବ ଅମ୍ବେଦକର ଲେଖିଥିବା ସମ୍ବିଧାନର ବିଜୟ ହେବ କି, ଆଉ କିଛି ହେବ ତାହା ଉକ୍ତ ରାୟରୁ ଜଣାପଡ଼ିବ।

ବିଦ୍ରୋହୀ ବିଧାୟକମାନଙ୍କ କଥା କହିବାକୁ ଯାଇ ସେ କହିଛନ୍ତି, ଏତେ ଦିନ ଧରି ନିରବ ଥିବା ଲୋକମାନେ ଅନ୍ୟ ଦଳ ସହ ମିଶିବା ପରେ କଥା କହୁଛନ୍ତି। ସେମାନେ କହୁଛନ୍ତି ‘ମାତୋଶ୍ରୀ’ ସସମ୍ମାନ ଡାକିଲେ ସେମାନେ ‘ବିଜେପି’ ସହିତ ମେଣ୍ଟ କରି ମୂଳ ଶିବସେନାକୁ ଫେରିଆସିବେ। କିନ୍ତୁ, ତା’ର ଜବାବ ମୁଁ ପୂର୍ବରୁ ଗଣମାଧ୍ୟମ ଜରିଆରେ ଦେଇ ସାରିଛି’ ବୋଲି ସେ କହିଛନ୍ତି ।