ବୁଲି ବୁଲି ବେପାର କରନ୍ତି ବାପା । ଦୁଃଖ ଦୂର କଲେ ଦୁଇ ଝିଅ

317

କନକ ବ୍ୟୁରୋ: ପ୍ରକାଶ ପାଇଛି ଝାଡଖଣ୍ଡ ଦଶମ ବୋର୍ଡ ପରୀକ୍ଷା ଫଳ । ଏଥିରେ ଟପ୍ପର ହୋଇଛନ୍ତି ଦୁଇ ଝିଅ । ଆପଣ ଭାବୁଥିବେ ଏପରି ଖବର ତ ଆଗରୁ ବି ଆସିଛି । ଏଥିରେ ନୂଆ କ’ଣ । କଥା ହେଉଛି ଦୁଇ ଛାତ୍ରୀ ତାନିଆ ଶାହ ଓ ନିତୁ କୁମାରୀ ଅତି ଗରୀବ ପରିବାରର । ଅନେକ ପ୍ରତିକୂଳ ସ୍ଥିିତି ଓ ସଂଘର୍ଷ ଭିତରେ ସଫଳତା ପାଇଛନ୍ତି ଏହି ଦୁଇ ଝିଅ । ଯାହାକୁ ନେଇ ଏବେ ପୁରା ରାଜ୍ୟ ଗର୍ବିତ ।

କୁହାଯାଏ ସଫଳତା ସେମାନଙ୍କ ମିଳେ ଯେଉଁମାନଙ୍କ ସ୍ୱପ୍ନରେ ଜୀବନ ଥାଏ । କେବଳ ଡେଣା ଥିଲେ ଉଡି ହୁଏନା ବରଂ ଏଥିପାଇଁ ଦରକାର ସାହସ ଓ ଦୃଢ ବିଶ୍ୱାସ । ଏହି କଥାକୁ ସତ କରି ଦେଖାଇଛନ୍ତି ଝାଡଖଣ୍ଡ ଚକ୍ରଧରପୁରର ଦୁଇ ଝିଅ  । ଅତି ଗରୀବ ପରିବାରର ଦୁଇ ଝିଅ । ହେଲେ ସେମାନଙ୍କ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ ।  ସେମାନଙ୍କ ଦକ୍ଷତାକୁ ଆଜି ସଲାମ କରୁଛି ସାରା ଝାଡଖଣ୍ଡ ।

ତାନିଆ, ଓ ନିଶୁ କୁମାରୀ ଦୁହେଁ ଚକ୍ରଧରପୁର କାରମେଲ ସରକାରୀ ସ୍କୁଲରେ ପଢୁଥିଲେ । ଦୁହେଁ ଦଶମ ବୋର୍ଡ ପରୀକ୍ଷାରେ ମୋଟ ୫୦୦ ନମ୍ବରରୁ ୪୯୦ (୯୮%) ରଖି ରାଜ୍ୟ ଟପ୍ପର ହୋଇଛନ୍ତି । ଦୁହିଁଙ୍କ ସଫଳତାରେ ଗୌରବାନ୍ୱିତ ଅନୁଭବ କରୁଛନ୍ତି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ । ଏପରି ସଫଳତାକୁ ନେଇ ନିଜର ସବୁ କଷ୍ଟ ଭୁଲିଯାଇଛନ୍ତି ଦୁଇ ଝିଅଙ୍କ ବାପା ।

ତାନିଆ ଶାହଙ୍କ ବାପା ଚା’, ସିଙ୍ଗଡା ବିକି ଘର ଚଳାନ୍ତି । ଅନେକ ଅସୁବିଧା ଭିତରେ ବି ପିଲାଙ୍କ ପାଠପଢାକୁ ନେଇ କେବେ କିଛି ଅଭାବ ରଖିନାହାଁନ୍ତି । ଝିଅ ତାନିଆ ବି ଖୁବ୍ ପରିଶ୍ରମ କରେ । ଆଜି ତାଙ୍କ କଠିନ ପରିଶ୍ରମ ରଙ୍ଗ ଆଣିଛି । ଆଗକୁ ଗଣିତ ବିଷୟ ରଖି ବିଜ୍ଞାନ ପଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତାନିଆ । ତାନିଆଙ୍କୁ ଇଂରାଜିରେ ୧୦୦ରୁ ୯୫ ନମ୍ବର, ହିନ୍ଦୀରେ ୯୮, ଗଣିତରେ ୧୦୦, ବିଜ୍ଞାନରେ ୯୯, ସାମାଜିକ ବିଜ୍ଞାନରେ ୯୮ ଓ ଆଇଟିସିରେ ୮୮ ମାର୍କ ରଖି ମୋଟ ୫୦୦ରୁ ୪୯୦ ମାର୍କ ରଖିଛନ୍ତି  ।

ସେହିପରି ଅନ୍ୟଜଣେ ଟପ୍ପର ନିଶୁ  କୁମାରୀଙ୍କ ବାପା କ୍ଷୀର ବିକି ପରିବାର ଚଳାନ୍ତି । ମା’ ଗୁହିଣୀ ହୋଇଥିବାବେଳେ ବାପା ଦିନେଶ କୁମାର ଘର ଘର ବୁଲି ବେପାର କରନ୍ତି । ନିଶୁ କୁମାରୀଙ୍କୁ ମଧ୍ୟ ସେହି ସମାନ ୪୯୦ ନମ୍ବର ମିଳିଛି । ନିଶୁଙ୍କୁ ହିନ୍ଦୀରେ ୯୮, ଇଂରାଜୀରେ ୧୦୦, ବିଜ୍ଞାନରେ ୧୦୦, ସାମାଜିକ ବିଜ୍ଞାନରେ ୯୫, ଆଇଟିଏସରେ ୮୪ ନମ୍ବର ରଖିଛନ୍ତି । ନିଶୁ ତାଙ୍କ ସଫଳତାର ଶ୍ରେୟ ମା’, ବାପାଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକଙ୍କୁ ଦେଇଛନ୍ତି ।