ପଦ୍ମପୁରରେ ଭୋଟ୍ ପାଇଁ ନୋଟ୍ ଅଭିଯୋଗ: ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ସରେଇକଲା ଗାଁରେ ମୁହାଁମୁହିଁ ଦୁଇ ଗୋଷ୍ଠୀ 

86

କନକ ବ୍ୟୁରୋ: ଭୋଟ ପାଇଁ ନୋଟ୍ । ଧାମନଗର ଷ୍ଟାଇଲରେ ପଦ୍ମପୁରରେ ଟଙ୍କା ବଂଟା ଚାଲିଥିବା ନେଇ ଅଭିଯୋଗ ଆସିଛି । ଏକ ନିର୍ଦ୍ଦିଷ୍ଟ ଦଳ ଟଙ୍କା ବାଂଟୁଥିବା ନେଇ ଅଭିଯୋଗ ଆସିବା ପରେ ଉତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଟଙ୍କା ବାଂଟୁଥିବା ଲୋକ ଏବଂ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଝାରବନ୍ଧ ବ୍ଲକର ସରେଲକେଲା ଗାଁରେ କିଛି ଅଜଣା ବ୍ୟକ୍ତି ଏକ ଇନୋଭା ଗାଁରେ ଆସି ଗାଁରେ ବୁଲୁଥିଲେ । ଅଜଣା ଲୋକଙ୍କ ଗତିବିଧି ଦେଖି ଗାଁ ଲୋକମାନେ ସେମାନଙ୍କୁ ପଚାରିଥିଲେ, କାହାକୁ ଖୋଜୁଛନ୍ତି ଏବଂ କାହିଁକି ଆସିଛନ୍ତି । ଏହି ପ୍ରଶ୍ନର ଉତର ଦେବା ପରେ ଇନୋଭା ଗାଡ଼ି ଫେରାର ହେବାକୁ ଉଦ୍ୟମ କରିଥିଲେ ଗାଡ଼ିରେ ଥିବା ବ୍ୟକ୍ତି ।

କାରରେ ଗାଡ଼ି ଫେରାର ମାରିବା ସମୟରେ ଗାଁ ଲୋକ ଗାଡ଼ି ଆଗକୁ ଏକ ସାଇକେଲ ଫିଙ୍ଗି ଦେଇଥିଲେ । ଫଳରେ ଖସିଯିବାର ଉଦ୍ୟମ ଫେଲ ମାରିଥିଲା । ତେବେ ଦୁଇ ଜଣ ବ୍ୟକ୍ତି ଫେରାର୍ ହୋଇଯିବାରେ ସଫଳ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଗାଁ ଲୋକ କାବୁ କରି ପୁଲିସର ଯିମା ଦେଇଛନ୍ତି । ପଦ୍ମପୁର ଉପ-ନିର୍ବାଚନରେ ବର୍ତମାନ ସାଇଲେଂଟ ପିରିୟଡ ଚାଲିଥିବା ବେଳେ ବାହାର ଲୋକଙ୍କ ଗତିବିଧିକୁ ନେଇ ଅପ୍ରତିକର ପରିସ୍ଥିତି ଦେଖିବାକୁ ମିଳିଛି । ଧାମନଗର ଉପ-ନିର୍ବାଚନ ସମୟରେ ଯେମିତି ଟଙ୍କା ବାଂଟିବା ନେଇ ଅଭିଯୋଗ ହୋଇଥିଲା, ଠିକ୍ ସମାନ ଢ଼ଙ୍ଗରେ ପଦ୍ମପୁରରେ ବି ଟଙ୍କା ବଂଟାଯିବାର ଅଭିଯୋଗ ଆସିଛି । ଏହି ଘଟଣାରେ ପୁଲିସ୍ ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି ।

ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ଟଙ୍କା ବାଂଟିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ଏସପି ସ୍ମିତ-ପି-ପରମାର ସୂଚନା ଅନୁସାରେ ନିର୍ବାଚନ ଅନିୟମିତତା ଉପରେ ନଜର ରଖିବା ପାଇଁ ୪୫ଟି ମୋବାଇଲ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଟିମ୍ ଆବଶ୍ୟତ ସ୍ଥଳରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରାଯାଉଛି । ତେବେ ଟଙ୍କା ବଂଟା ନେଇ କୌଣସି ଅଭିଯୋଗ ଆସିନଥିବା ଏସପି ସୂଚନା ଦେଇଛନ୍ତି । ଏସବୁ ଭିତରେ ନିର୍ବାଚନ ମଣ୍ଡଳୀର ବାହାର ଲୋକଙ୍କୁ ପଦ୍ମପୁରରୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି ବରଗଡ଼ ଏସପି ।