ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇରାକରେ ସୈନ୍ୟ ଅଭିଯାନ ଆରମ୍ଭ କଲା ତୁର୍କୀ, କୁର୍ଦ ସେନା ବିରୋଧରେ କଲା ଆକ୍ରମଣ

390

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣି ଏକ ଦେଶରେ ଯୁଦ୍ଧ ବିଭିସିକା ଆରମ୍ଭ ହୋଇଯାଇଛି । ତୁର୍କୀ ତରଫରୁ ଇରାକରେ ସୈନ୍ୟ ଅଭିଯାନ ଆରମ୍ଭ ହୋଇଛି । ତୁର୍କୀ ତରଫରୁ ଇରାକର ଉତ୍ତର କୁର୍ଦିର୍ସ୍ଥାନରେ ସେନା ଆକ୍ରମଣ କରିଥିବା ନେଇ ତୁର୍କୀର ରକ୍ଷାମନ୍ତ୍ରୀ ହୁଲୁସୀ ଅକର ସୂଚନା ଦେଇଛନ୍ତି ।

ତୁର୍କୀର ରକ୍ଷାମନ୍ତ୍ରୀ କହିଛନ୍ତି କି, ତୁର୍କୀର ଯୁଦ୍ଧ ବିମାନ, ହେଲିକପ୍ଟର ଓ ଡ୍ରୋନ୍ସ କୁର୍ଦିର୍ଶ ସେନାକୁ ଟାର୍ଗେଟ କରି ସେମାନଙ୍କର କ୍ୟାମ୍ପ, ଟର୍ନେଲ, ସେଲ୍ଟର ଓ ଅସ୍ତ୍ରଶସ୍ତ୍ର ରଖିଥିବା ସ୍ଥାନରେ ଆକ୍ରମଣ କରିଛି । ତୁର୍କୀ ରକ୍ଷାମନ୍ତ୍ରୀଙ୍କ ସୂଚନା ମୁତାବକ ତୁର୍କୀର ଯୁଦ୍ଧବିମାନ ପିକେକେ ସହିତ ଜଡିଥିବା ସେଲ୍ଟର୍ସ, ବଙ୍କର, ଟର୍ନେଲ, ସୁଡଙ୍ଗ ଓ ଅସ୍ତ୍ରଶସ୍ତ୍ର ଡପୋର ମୁଖ୍ୟାଳୟ ଉପରେ ସଫଳତା ପୂର୍ବକ ଆକ୍ରମଣ କରିଛି । ସେ ଅଭିଯୋଗ କରିଛନ୍ତି କି, ଏହି ସ୍ଥାନରେ କୁର୍ଦିଶ ସେନା ଏକତ୍ରିତ ହୋଇ ତୁର୍କୀ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ।

କହିରଖୁ କି କୁର୍ଦିଶ ସେନା ବା ପିକେକେ ସଂଗଠନ କିଛି ଦଶନ୍ଧି ଧରି ତୁର୍କୀ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏହି ସଂଗଠନକୁ ଆମେରିକା ଓ ୟୁରୋପୀୟ ସଂଘ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିସାରିଛି । କୁର୍ଦିଶର ଲୋକସଂଖ୍ୟା ୨.୫ ରୁ ୩.୫ କୋଟି ମଧ୍ୟରେ ରହିଥିବାରୁ ସେମାନେ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବାକୁ ଦୀର୍ଘଦିନ ହେବ ପ୍ରୟାସ ଜାରି ରଖିଛନ୍ତି । ଏସବୁ ଭିତରେ ତୁର୍କୀର ଇସ୍ତାନବୁଲ ଠାରେ ସୋମବାର ଦିନ ଏକ ବଡ ଧରଣର ବିସ୍ଫୋରଣ ହାଇଛି । ଏଥିରେ ୧୦ ଜଣ ଲୋକ ଆହତ ହୋଇଛନ୍ତି ।