ଆନ୍ଦୋଳନ ଭିତରେ ଦୁଇଫାଳ ହେଲା ଡ୍ରାଇଭର ସଂଘ: ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

339

କନକ ବ୍ୟୁରୋ: ଆନ୍ଦୋଳନ ଭିତରେ ଦୁଇଫାଳ ହେଲା ଡ୍ରାଇଭର ସଂଘ । ଡ୍ରାଇଭର ସଂଘ ଭିତରେ ଫାଟ ସୃଷ୍ଟି ହୋଇଛି । ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଛନ୍ତି । ଆନ୍ଦୋଳନକୁ ଭଣ୍ଡୁର କରିଥିବା ଅଭିଯୋଗ କଲେ ଡ୍ରାଇଭର ।

ଆଜି ସକାଳୁ ସକାଳୁ ରାଜଧାନୀକୁ କବଜାକୁ ନେଇଯାଇଥିଲେ ହଜାର ହଜାର ଡ୍ରାଇଭର । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ସହରରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଥିଲା । ରାସ୍ତାରେ ଡ୍ରାଇଭରମାନେ ବସିବା ଯୋଗୁଁ ବେଶ୍ କିଛି ସମୟ ଧରି ରାଜଧାନୀ ରାସ୍ତାରେ ଅଟକି ଯାଇଥିଲା ଗାଡିମଟର । ଯାହା ଫଳରେ ଫସି ରହିଥିଲେ ଶହ ଶହ ଲୋକ । ବାଣୀବିହାର ଫ୍ଲାଏ ଓଭୟ ଉପରେ ବି ଶହ ଶହ ଗାଡି ଅଟକି ରହିଥିଲା । କମିଶନରେଟ୍ ପୋଲିସ ଏନେଇ ପ୍ରସ୍ତୁତ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଲୋଏର ପିଏମଜିରେ ଏକାଠି ହୋଇଥିଲେ । ପରେ ଲୋକସେବା ଭବନକୁ ଶୋଭାଯାତ୍ରା କରି ଯାଇଥିଲେ ।

ସେଠାରେ ସୁରକ୍ଷାକର୍ମୀଙ୍କ ସହିତ ସଂଘ କର୍ମକତାଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି । ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇଥିବାରୁ ରାଜଧାନୀରେ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତ ଉପୁଜିଛି । ଏହା ସହ ଗମନାଗମନ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିଛି । ଅକେ ସ୍ଥାନରେ ବସ ଚାଲୁନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଖବର ମଧ୍ୟ ଆସିଛି । ଭିଡ ଯୋଗୁ ପିଏମଜି ଛକରେ ଏକ ଆମ୍ବୁଲାନ୍ସ ବହୁ ସମୟ ଧରି ଫସି ରହିଥିଲା ।

ବଡ଼ କଥା ହେଉଛି ଏତେ ସଂଖ୍ୟାରେ ଆନ୍ଦୋଳନକାରୀ ଲୋକସେବା ଭବନ ଭଳି ପ୍ରତିବନ୍ଧିତ ସ୍ଥାନକୁ କେମିତି ଆସିଲେ ଆଉ ପୋଲିସ କେମିତି ଆଗରୁ ସୂଚନା ପାଇପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ୧୦ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ଗତକାଲି ରାତିରୁ ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଭୁବନେଶ୍ୱର ଆସିଥିଲେ । ସୂଚନା ମୁତାବକ, ପୂର୍ବରୁୁ ଡ୍ରାଇଭର ଆସୋସିଏସ୍ ୧୦ ଦଫା ଦାବି ନେଇ ଭୁବନେଶ୍ୱର ପଦଯାତ୍ରା କରିଥିଲା ।