କଲାମଙ୍କୁ ସଲାମ କରୁଛି ଦେଶ: ଜନ୍ମ ବାର୍ଷିକୀରେ ମିସାଇଲ ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି

106

କନକ ବ୍ୟୁରୋ: ସ୍ୱପ୍ନ ତାହା ନୁହେଁ, ଯାହା ତୁମେ ଶୋଇଲା ବେଳେ ଦେଖୁଛ… ସ୍ୱପ୍ନ ସିଏ ଯିଏ ତୁମକୁ କେବେ ଶୋଇବାକୁ ଦିଏନି…ସେ କେବଳ ଭାଷଣ ମାରନ୍ତିନି, ତାକୁ କାମରେ ବି କରି ଦେଖାନ୍ତି । ଦୁନିଆକୁ ଏହି ସବୁ କଥାର ଅର୍ଥ ବୁଝାନ୍ତି । ତାଙ୍କ ସରଳତା, ସଚ୍ଚୋଟତା ଆଉ କିଛି କରିବାର ଜୋଶ ତାଙ୍କୁ ସବୁବେଳେ ପାଗଳ କରିଥିଲା । ଆଉ ଏହି ସବୁ ଜୁନୁନ ତାଙ୍କୁ ଖବର କାଗଜ ହକରରୁ ମିସାଇଲ ମ୍ୟାନ ଆଉ ଦେଶର ରାଷ୍ଟ୍ରପତି କରିଥିଲା । ସତରେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଜିତି ନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ସାରା ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣ ପାଲଟିଥିଲେ । ସେ ହେଉଛନ୍ତି ଭାରତର ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ ।

କଲାମଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ପରିଶ୍ରମ ଆଉ ନିଜ ଦକ୍ଷତା ବଳରେ ସେ ଦେଶର ସର୍ବୋଚ୍ଚ ପଦରେ ବସିଥିଲେ । ସେ କେବେ ଥକିବା ଶିଖିନଥିଲେ, ସରଳତା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । କେବଳ ଗୋଟିଏ ଟ୍ରଙ୍କରେ ଥିଲା ତାଙ୍କ ଜୀବନ ସମସ୍ତ ସମ୍ପତ୍ତି । ସାରା ଜୀବନ ଦେଶ ସେବା, ଶିକ୍ଷା ଆଉ ପରୋଉପକାରରେ ସେ ବିତାଇଥିଲେ । କିଏ ତାଙ୍କୁ କେତେ ରୂପରେ ମନେ ରଖିଛି କିଏ ମିସାଇଲ ମ୍ୟାନ ଭାବେ ତ କିଏ, ଦେଶର ଭବିଷ୍ୟତକୁ ଶିକ୍ଷା ଦେଉଥିବା ଚାଚା କଲାମଙ୍କ ରୂପରେ ତ କିଏ ଦେଶର ରାଷ୍ଟ୍ରପତି ଭାବେ ।

ତାମିଲନାଡୁର ରାମେଶ୍ୱରମ୍ ଜିଲ୍ଲାର ଧନୁଷକୋଡି ଗାଁରେ କଲାମଙ୍କ ଜନ୍ମ । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ଚଳାଉଥିଲେ । ତେଣୁ ପରିବାର ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗା ଚଳାଇବା ସହ ଖବର କାଗଜ ବିକ୍ରି କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।

ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ କଲେଜରେ ଉଚ୍ଚଶିକ୍ଷା କରିଥିଲେ । ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ ଅଫ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ । ପରେ ଡିଆରଡିଓରେ ସିନିୟର ସାଇଣ୍ଟଣ୍ଟିଫିକ ଆସିଷ୍ଟାଣ୍ଟ ଭାବେ ୧୯୮୫ରେ ଯୋଗ ଦେଇଥିଲେ । ଏହାପରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ କେନ୍ଦ୍ର ଇସ୍ରୋ ସହ । ସେବେଠୁ ସେ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖଣ୍ଟ । ୧୯୯୮ ଐତିହାସିକ ପୋଖରାନ ଆଣବିକ ବୋମା ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରଧା । ତାଙ୍କ ତତ୍ୱବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶ ଯାନ ଏସଏଲଭି-୩ ସ୍ପେସ ଭେଇକିଲ୍ । ସେ ଦେଶକୁ ଭେଟି ଦେଇଥିଲେ ଅଗ୍ନି, ତ୍ରିଶୁଳ, ପୃଥ୍ୱୀ, ବ୍ରହ୍ମୋସ୍ତ୍ର ଭଳି କ୍ଷେପଣାସ୍ତ୍ର । ଏଥିପାଇଁ ତାଙ୍କୁ କୁହାଯାଏ ଭାରତର ମିସାଇଲ ମ୍ୟାନ ।

୨୦୦୨ରୁ ୨୦୦୭ ଯାଏଁ ସେ ଭାରତର ୧୧ ତମ ରାଷ୍ଟ୍ରପତି ହୋଇଥିଲେ । ସବୁଠୁ ବଡ କଥା ହେଲା କ୍ଷମତା କେବେ ବି ତାଙ୍କ ଜୀବନକୁ ପ୍ରବାବିତ କରିପାରିନଥିଲା । କାର୍ଯ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସ ବ୍ୟତୀତ ଆଉ କିଛିନଥିଲା । ଯାହା ତାଙ୍କ ସରଳ ଜୀବନ ଯାପନର ପରିଚୟ ଦିଏ ।

ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ । ଆଉ ସବୁ ଦିନ ପାଇଁ ନୀରବି ଯାଇଥିଲେ ମିସାଇଲ ମ୍ୟାନ । ଆଉ ଭାରତ ହରାଇଥିଲା ତାର ଗୋଟିଏ ଯୋଗ୍ୟ ସନ୍ତାନକୁ ।