ଧାନନଗର ଉପନିର୍ବାଚନ : ଆଜି ପ୍ରାର୍ଥୀପତ୍ର ହେବ ଯାଞ୍ଚ; ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

75

କନକ ବ୍ୟୁରୋ : ଧାମନଗର ଉପିନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ଶେଷ ଦିନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ବିଜେଡିର ବିଦ୍ରୋହୀ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉପନିର୍ବାଚନ ପୂର୍ବରୁ ଧାମନଗର ବିଜେଡିର ଏହି କନ୍ଦଳ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଚର୍ଚ୍ଚା ହେଉଛି ରାଜୁଙ୍କ ବିଦ୍ରୋହ ବିଜେଡି ପାଇଁ ଅଡୁଆ ହୋଇପାରେ । ହେଲେ, ରାଜୁ ଦାସଙ୍କ ନାମାଙ୍କନ ବିଜେଡି ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି ।

ଯାହା ଧାମନଗର ରାଜନୀତିକୁ ରୋଚକ କରିଛି । ତେବେ ଦଳ ପକ୍ଷରୁ ତାଙ୍କୁ ବୁଝାଇବା ପାଇଁ ପ୍ରୟାସ ହୋଇଥିଲେ ହେଁ, ସେଥିରେ ସଫଳତା ମିଳିନାହିଁ । କନକ ନ୍ୟୁଜକୁ ସାକ୍ଷାତ ଦେଇ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । କୌଣସି ପରିସ୍ଥିତିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ନାହିଁ । ଦଳ ବହିଷ୍କାର କଲେ, ଏହା ତାଙ୍କ ପାଇଁ ଆଶୀର୍ବାଦ ହେବ ବୋଲି ସେ କହିଛନ୍ତି । ଦଳୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇ ରାଜୁ ଦାସ ନିର୍ବାଚନ ମଇଦାନକୁ ଓହ୍ଲାଇବା ଘଟଣାକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ କାହାକୁ ହରାଇବାକୁ ନୁହେଁ ବରଂ ଲୋକଙ୍କ ପାଇଁ ଛିଡ଼ା ହୋଇଛି । ମାଟି ମା’ର ଶକ୍ତି କ୍ଷେତ୍ରରେ କୌଣସି ଶକ୍ତି କାମ କରେ ନାହିଁ । ସବୁବେଳେ ମୁଁ ଲୋକଙ୍କ ସାଥୀରେ ଅଛି । ଆଉ ଲୋକଙ୍କ ଆଶୀର୍ବାଦ ମଧ୍ୟ ତାଙ୍କ ସହିତ ଅଛି ବୋଲି ସେ କହିଛନ୍ତି ।

ସେପଟେ ଧାମନଗର ଉପନିର୍ବାଚନ ପାଇଁ ମୋଟ ୬ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରପ ସ୍ଥିତପ୍ରଜ୍ଞ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୧୩ରେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ପ୍ରାର୍ଥପତ୍ର ଦାଖଲ କରିଥିଲେ । ସେହିପରି ପବିତ୍ର ମୋହନ ଦାସ ଓ ଶୁଭନାରାୟଣ ସେଠୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।