ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା : ୪୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ସୂଚନା

133

କନକ ବ୍ୟୁରୋ : ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣାର ହେବ ଉଚ୍ଚ ସ୍ତରୀୟ ତଦନ୍ତ । ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗର ଜଲପାଇଗୁଡିର ନ୍ୟୁ ଦୋମୋହାନି ରେଲୱେ ଷ୍ଟେସନ ନିକଟରେ ଗୁରୁବାର ସଂଧ୍ୟା ୫ଟା ସମୟରେ ଏହି ଦୁର୍ଘଟଣା ହୋଇଛି । କୋଚ ଗୁଡିକ ଲାଇନଚ୍ୟୁତ ହେବାରୁ ଏହି ଦୁର୍ଘଟଣା ଘଟିଛି । ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୪୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତିା ରେଳ ଧାରଣାରେ ଫାଟ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ଡିଆରଏମ୍ ପହଂଚି ତଦନ୍ତ କରୁଥିବା ସୂଚନା ରହିଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଏକ ଲକ୍ଷ ଟଙ୍କା, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ।