ଠିକ୍ ସମୟରେ ପୈଠ କରୁଥିବା ଗ୍ରାହକଙ୍କୁ ଟିପିଏନଡିଏଲ ଦେଲା ମୋବାଇଲ ଉପହାର । ୪୫୦ ଜଣ ଉପଭୋକ୍ତାଙ୍କ ମିଳିଲା ସ୍ମାର୍ଟ ଫୋନ

538

କନକ ବ୍ୟୁରୋ : ନିୟମିତ ଓ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ବିଲ ପଇଠ କରୁଥିବା ଉପଭୋକ୍ତାଙ୍କୁ ମୋବାଇଲ ଉପହାର ଦେଇଛି ଟିପିଏନଓଡିଏଲ୍। ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ବାରିପଦା ବୈଦୁତିକ କ୍ଷେତ୍ରରୁ ୧୬ଟି ଡିଭିଜନର ମୋଟ ୪୫୦ ଜଣ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରାଯାଇଛି। ବିଲ୍ ପେ ଆଣ୍ଡ ୱିନ୍ ଯୋଜନା ଅଧୀନରେ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ପ୍ରତିମାସରେ ଶୂନ୍ୟ ବକେୟା ଥିବା ଉପଭୋକ୍ତାମାନେ ଉପହାର ପାଇବା ପାଇଁ ଯୋଗ୍ୟ ହେଉଛନ୍ତି।

ନୂତନବର୍ଷ ଅବସରରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଫର ଉପଲବ୍ଧ କରାଯାଇଥିବା ବେଳେ ଲକି ଡ୍ର ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଏ ସମ୍ପର୍କରେ ଟିପିଏନଓଡିଏଲ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଦ୍ବିଜଦାସ ବସକ୍‌ କହିଛନ୍ତି ଯେ, ବାଲେଶ୍ଵର, ବାରିପଦା, କେନ୍ଦୁଝର, ଭଦ୍ରକ, ଯାଜପୁର ବୈଦୁତିକ କ୍ଷେତ୍ରରୁ ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଇ ପ୍ରତିମାସ ୧୫୦ ଜଣ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ପୁରସ୍କୃତ କରାଯାଉଛି। ପୁରସ୍କାରରେ ସ୍ମାର୍ଟ ଫୋନ ପ୍ରଦାନ କରାଯାଉଥିବା ବେଳେ ଏହି ପୁରସ୍କାର ପାଇଁ ପ୍ରତି ମାସ ଶେଷରେ ଶୂନ୍ୟ ବକେୟା ଥିବା ସମସ୍ତ ଗ୍ରାହକ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କ୍ରମରେ ଡିସେମ୍ବରରୁ ଫେବୃଆରୀ ପର୍ୟ୍ୟନ୍ତ ୩ମାସରେ ମୋଟ୍ ୪୫୦ ଜଣ ଭାଗ୍ୟଶାଳୀ ଉପଭୋକ୍ତା ଚୟନ ହୋଇଛନ୍ତି। ବିଭିନ୍ନ ସର୍କଲ କାର୍ୟ୍ୟଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉପଭୋକ୍ତାଙ୍କୁ ଉପହାର ପ୍ରଦାନ କରାଯାଇଛି।

ସେହିଭଳି ମାର୍ଚ୍ଚ ମାସ ପାଇଁ ମଧ୍ୟ ୩ଶହଟି ଆକର୍ଷଣୀୟ ଉପହାର ଟିପିଏନଓଡିଏଲ ପକ୍ଷରୁ ଘୋଷଣା କରାଯାଇଛି। ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କଲେ ଏହି ଉପହାର ପାଇବା ପାଇଁ ଯୋଗ୍ୟ ହେବେ। ତେବେ ବିଦ୍ୟୁତ ବିଲ ପଇଠ ପ୍ରକ୍ରିୟାକୁ ସହଜ କରିବା ପାଇଁ ଟିପିଏନଓଡିଏଲର ସମସ୍ତ ଡିଜିଟାଲ ପଦ୍ଧତ୍ତି ଜରିଆରେ ବିଲ ଗ୍ରହଣ କରୁଛି। ସ୍ପାଇସ ମନି କେନ୍ଦ୍ର, ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ, ଏସବିଆଇ କଷ୍ଟମର ଟଚ ପଏଣ୍ଟ ଭଳି ବିଭିନ୍ନ ତୃତୀୟ ପକ୍ଷ ସଂସ୍ଥା ଦ୍ଵାରା ବିଦ୍ୟୁତ ବିଲ୍ ପଇଠ ପାଇଁ ସୁବିଧା ଉପଲବ୍ଧ କରିଛି। ଏ ସମ୍ପର୍କିତ ଅଧିକ ସୂଚନା ଉପଭୋକ୍ତା ମାନେ ୧୮୦୦୩୪୫୬୭୧୮ କିମ୍ବା ୧୯୧୨ ନମ୍ବରରେ କଲ୍ କରି ପାଇ ପାରିବେ ବୋଲି ଟିପିଏନଓଡିଏଲ ପକ୍ଷରୁ କୁହାଯାଇଛି।