କ୍ୟାପଟେନ କୁଲଙ୍କ ଯୁଗ ଶେଷ: ୨୦୦୮ରୁ ଥିଲେ ଚେନ୍ନାଇର ଅଧିନାୟକ

122

କନକ ବ୍ୟୁରୋ: ସୁବବେଳେ ସରପ୍ରାଇଜ ଦେଇ ଚର୍ଚ୍ଚାରେ ରହୁଥିବା ମହେନ୍ଦ୍ର ସିଂ ଧୋନୀ ଏଥର ନିଜ କ୍ୟାରୟରକୁ ନେଇ ବଡ ଘୋଷଣା କରିଛନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ର ଅଧିନାୟକ ପଦ ଛାଡିଛନ୍ତି ଧୋନୀ ।

୨୦୨୪ ଆଇପିଏଲ୍ର ଦିନକ ପୂର୍ବରୁ ଏଭଳି ନିଷ୍ପତି ନେଇ ପ୍ରଶଂସକଙ୍କୁ ଝଟକା ଦେଇଛନ୍ତି କ୍ୟାପଟେନ୍ କୁଲ୍ । ୧୬ ବର୍ଷ ଧରି ଚେନ୍ନାଇର ଅଧିନାୟକ ରହିବା ସହ ଦଳକୁ ୫ ଟି ଟ୍ରଫି ଦେଇଛନ୍ତି ଧୋନୀ । କିନ୍ତୁ ୪୨ ବର୍ଷୀୟ ମାହି ଏଥର ଚେନ୍ନାଇର ନେତୃତ୍ୱ ଭାର ଯୁବ କ୍ରିକେଟର ଋତୁରାଜ ଗାଏକ୍ୱାଡଙ୍କୁ ପ୍ରଦାନ କରିଛନ୍ତି । ଆଉ ଅଧିନାୟକ ଭାବେ ଧୋନୀଙ୍କ ସ୍ୱର୍ଣ୍ଣିମ ଯୁଗ ଶେଷ ହୋଇଛି ।

ଧୋନୀଙ୍କ ରେକର୍ଡ
୨୦୦୮ରୁ ଆଇପିଏଲ ଆରମ୍ଭରୁ ସିଏସକେର ଅଧିନାୟକ ଥିଲେ
ଚେନ୍ନାଇକୁ ଦେଇଛନ୍ତି ୫ ଆଇପିଏଲ ଟ୍ରଫି
୨୦୧୦, ୨୦୧୧, ୨୦୧୮, ୨୦୨୧, ୨୦୨୩ ଟ୍ରଫି ଜିତାଇଛନ୍ତି
ଆଇପିଏଲର ୨୨୬ ମ୍ୟାଚରେ ଅଧିନାୟକ ରହିଛନ୍ତି
୧୩୩ଟି ମ୍ୟାଚ ଜିତାଇଛନ୍ତି ମହେନ୍ଦ୍ର ସିଂ ଧୋନୀ
ଆଇପିଏଲ ୫୦୮୨ ରନ୍ କରିଛନ୍ତି ଧୋନୀ
ଅଗଷ୍ଟ ୧୫, ୨୦୨୦ରେ ଆନ୍ତର୍ଜାତୀୟ ଅବସର ନେଇଥିଲେ
୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା

ଶୁକ୍ରବାର ଠାରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଆଉ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ରହଛି । ଏହା ପୂର୍ବରୁ ଗାଏକ୍ୱାଡଙ୍କୁ ଚେନ୍ନାଇ ତା’ର ନୂଆ ଅଧିନାୟକ ଘୋଷଣା କରିଛି । ଧୋନୀଙ୍କ ପରେ ଚେନ୍ନାଇର ଅଧିନାୟକ ପଦ ରବୀନ୍ଦ୍ର ଜେଡେଜାଙ୍କୁ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ଦଳ ଯୁବ ଅଲରାଉଣ୍ଡର ଗାଇକ୍ୱାଡଙ୍କୁ ଏହି ଦାୟୀତ୍ୱ ଦେଇଛି । ଧୋନୀ ଦଳ ଛାଡିବା ପୂର୍ବରୁ ଦଳର ନେତୃତ୍ୱ ମଜଭୁତ କରିବାକୁ ଚେନ୍ନାଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ ଧୋନୀ । ହେଲେ ଆଇପିଏଲ୍ ଖେଳିବା ଜାରି ରହିଥିଲେ ।

କିଛି ଦିନ ପୂର୍ବରୁ ଧୋନୀ ଘୋଷଣା କରିଥିଲେ ଯେ ଖୁବଶୀଘ୍ର ନୂଆ ଭୂମିକାରେ ଆସିବେ । ଆଉ ଧୋନୀଙ୍କ ଏହି ନୂଆ ଘୋଷଣା ପ୍ରସଂଶକଙ୍କୁ ଆଘାତ ଦେଇଛି । ଆଗାମୀ ସଂସ୍କରଣରେ ଧୋନିଙ୍କୁ ହୁଏତ ଆଇପିଏଲ୍ ଖେଳୁଥିବାର ଦେଖିବାକୁ ମିଳିନପାରେ ।