ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ନିଖୋଜଙ୍କୁ ଖୋଜିବାକୁ ପୁଣିଥରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । କାଳବୈଶାଖୀ ପ୍ରଭାବରେ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବା ବେଳେ ବୁଡ଼ିଯାଇଥିଲା ଡ଼ଙ୍ଗା ।

114

କନକ ବ୍ୟୁରୋ : ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡି ଘଟଣାରେ ଆଜି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଟିମ୍ ବୋଟ୍ ଜରିଆରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ଗତକାଲି ଅପରାହ୍ନରେ ମା’ କାଳିଜାଇଙ୍କ ଦର୍ଶନ ସାରି ୧୨ ଜଣ ପର୍ଯ୍ୟଟକ ଫେରୁଥିବା ବେଳେ ହଠାତ କାଳବୈଶାଖୀ ହୋଇଥିଲା । ଜୋରଦାର ପବନ ବହିଥିଲା । ହସଖୁସିରେ ଫେରୁଥିବା ପର୍ଯ୍ୟଟକ ଏପରି ବିପଦର ସମୁଖୀନ ହେବେ ଆଦୌ ଭାବିନଥିଲେ ।

ଚାହୁଁ ଚାହୁଁ କାଳବୈଶାଖୀ ପବନରେ ବୁଡ଼ିଯାଇଥିଲା ଡ଼ଙ୍ଗା । ଡଙ୍ଗାରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଜଣଙ୍କର ପତା ମିଳିନଥିବା ସୂଚନା ମିଳିଛି । ଖବର ପାଇଁ ବାଲୁଗାଁ ପୁଲିସ ଓ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବରକୂଳରୁ ସ୍ପିଡ ବୋଟରେ ଯାଇ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତି କରାଯାଇଛି । ଆଉ ଆଜି ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି ଉଦ୍ଧାରକାରୀ ଦଳ ।