ବିଶ୍ୱ ନେତୃତ୍ୱଙ୍କୁ ଆଫଗାନ କ୍ରିକେଟର ରଶିଦ ଖାନଙ୍କ ନିବେଦନ, ଆମକୁ ସଂକଟ ଭିତରେ ମରିବାକୁ ଛାଡି ଦିଆନଯାଉ

227

କନକ ବ୍ୟୁରୋ : ଏବେ ଆଫଗାନିସ୍ତାନ ସ୍ଥତି ସମ୍ପୂର୍ଣ୍ଣ ଖରାପ ଆଡକୁ ଗତି କରୁଛି । ସେଠାରେ ତାଲିବାନ ଓ ଆଫଗାନ ସରକାର ସୈନ୍ୟଙ୍କ ମଧ୍ୟରେ ଲଢେଇ ଜୋରଦାର ହେଉଛି । ଆଫଗାନର ଅନେକ ଅଞ୍ଚଳ ଏବେ ତାଲିବାନୀମାନେ କବଜା କରିନେଇଛନ୍ତି । ଏହାସହ ଏବେ ଆଫଗାନିସ୍ତାନର ରାଜଧାନୀ ଦଖଲ କରିବାକୁ ତାଲିବାନ ପକ୍ଷରୁ ପ୍ରୟାସ ଜାରି ରହିଛି । ଏନେଇ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । କହିରଖୁ କି ଆମେରିକା ସେନା ପ୍ରତ୍ୟାହାର କରିବା ପରେ ପରିସ୍ଥିତି ସୂଚନୀୟ ହୋଇପଡିଛି । ଏହାକୁ ନେଇ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ ବିଶ୍ୱ ନେତୃତ୍ୱଙ୍କ ନିକଟରେ ନିବେଦନ କରିଛନ୍ତି ।

୨୨ ବର୍ଷିୟ ଷ୍ଟାର କ୍ରିକେଟର ଏକ ଭାବୁକ ପୋଷ୍ଟ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ‘ବିଶ୍ୱ ନେତୃତ୍ୱଙ୍କୁ ନିବେଦନ କରୁଛି ମୋ ଦେଶ ଏବେ ବିପଦରେ ଅଛି, ପିଲା ଠାରୁ ମହିଳା ପର୍ଯ୍ୟନ୍ତ ଦୈନିକ ହଜାର ହଜାର ନିଦ୍ଦୋଷ ଲୋକ ସହିଦ ହେଉଛନ୍ତି, ଘର ଓ ସଂପତ୍ତି ନଷ୍ଟ ହେବାରେ ଲାଗିଛି, ଏଭଳି ପରିସ୍ଥିତିରୁ ଆମକୁ ରକ୍ଷା କରନ୍ତୁ’ ।

କହିରଖୁ କି ଭାରତର ଆଇପିଏଲ,ପାକିସ୍ତାନର ପିଏସଏଲ, ଅଷ୍ଟ୍ରେଲିଆର ବିବିଏଲ ସମତେ ବିଶ୍ୱର ଅନେକ ଫ୍ରାଞ୍ଚାଇଜ ଲିଗ୍ ଖେଳିଥିବା ଆଫାଗନିସ୍ତାନର ଏହି ସ୍ପିନର ଆହୁରି ଲେଖିଛନ୍ତି କି, ଲୋକେ ଶାନ୍ତି ଚାହୁଁଛନ୍ତି, ହେଲେ ଏଭଳି ସ୍ଥିତିରେ ଲୋକେ ପରିବାର ସହ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି, ତେଣୁ ଆମକୁ ବିପଦରେ ଛାଡି ଦିଆ ନଯାଉ, ଆଫଗାନ ଲୋକଙ୍କୁ ହତ୍ୟା କରିବା ବନ୍ଦ କରାଯାଉ ।

କହିରଖୁ କି ଆଫଗାନ ସରକାରଙ୍କ ସୈନ୍ୟବଳ ଓ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ପରିବାର ବାସଶୂନ୍ୟ ହୋଇପଡିଛନ୍ତି । ଏହାସହ ତାଲିବାନ ପକ୍ଷରୁ ଛୋଟ ପିଲା ଓ ମହିଳା ମାନଙ୍କୁ ଟାର୍ଗେଟ କରାଯାଇଛି । ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସଂସ୍ଥା ୟୁନିସେଫର ଆଫଗାନିସ୍ତାନ ପ୍ରତିନିଧି ହର୍ବେ ଲୁଡୋବିଚ କହିଛନ୍ତି କି ଗତ ୭୨ ଘଂଟା ମଧ୍ୟରେ ଆଫଗାନିସ୍ତାନରେ ୨୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ଓ ୧୩୦ ଜଣ ଆହତ ହୋଇଛନ୍ତି । ଏହାସହ ୟୁନିସେଫ୍ ତରଫରୁ କୁହାଯାଇଛି କି ଗତମାସରେ ଆଫଗାନିସ୍ତାନରେ ୩୫ ହଜାର ପରିବାର ବାସଶୂନ୍ୟ ହୋଇଛନ୍ତି ।