ଲର୍ଡ୍ସରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ : ଦ୍ୱିତୀୟ ଦିନିକିଆରେ ୧୦୦ ରନରେ ଇଂଲଣ୍ଡଠୁ ହାରିଲା

140

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ଏକତରଫା ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଘରୋଇ ଇଂଲଣ୍ଡ ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତନ କରି ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦୦ ରନର ବଡ଼ ବ୍ୟବଧାନରେ ହରାଇଛି । ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ୧-୧ରେ ବରାବର ହୋଇଛି । ଇଂଲଣ୍ଡ ବିଜୟରେ ହିରୋ ସାଜିଛନ୍ତି ବାମହାତୀ ପେସର ରିସ୍ ଟପଲେ । ସେ ୨୪ ରନ୍ ଦେଇ ୬ ୱିକେଟ୍ ହାସଲ କରିଛନ୍ତି ।

ଐତିହାସିକ ଲର୍ଡ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଭାରତୀୟ ବୋଲରମାନେ ଇଂଲଣ୍ଡକୁ ୪୯ ଓଭରରେ ୨୪୬ ରନରେ ଅଲଆଉଟ୍ କରିଥିଲା । ଇଂଲଣ୍ଡ ପକ୍ଷରୁ ମୋଇନ୍ ଅଲୀ ୪୭ ରନ୍, ଡେଭିଡ ୱିଲି ୪୧ ରନ୍, ଜନ୍ନି ବେୟାରଷ୍ଟୋ ୩୮ ଏବଂ ଲିଆମ ଲିଭିଙ୍ଗଷ୍ଟୋନ୍ ୩୩ ରନର ଯୋଗଦାନ କରିଥିଲେ । ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ୍ ସର୍ବାଧିକ ୪ଟି ସଫଳତା ପାଇଥିଲେ । ୨୪୭ ରନର ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିନେବ ବୋଲି ଲାଗୁଥିଲା । କିନ୍ତୁ ଇଂଲିଶ ଟିମର ପେସ୍ ବ୍ୟାଟେରୀ ଆଗରେ ଆତ୍ମସମର୍ପଣ କରିଥିଲେ ଭାରତୀୟ ବ୍ୟାଟର୍ ।

ରୋହିତ୍ ଶର୍ମା ଖାତା ଖୋଲିପାରିନଥିବା ବେଳେ ଶିଖର ଧାୱନ୍ ୯ ରନ୍ ଓ ଖରାପ ଫର୍ମରେ ଥିବା ବିରାଟ୍ କୋହଲି ୧୫ ରନ୍ କରି ଆଉଟ୍ ହୋଇଥିଲେ । ଟପ୍ ଅର୍ଡର ବିଫଳତା ଯୋଗୁଁ ଭାରତ ୩୮.୫ ଓଭରରେ ୧୪୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୨୯ ଓ ରବୀନ୍ଦ୍ର ଜାଡେଜା ୨୯ ରନ୍ କରିଥିଲେ । କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ପାଇଁ ଟପଲେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ସିରିଜର ତୃତୀୟ ତଥା ଶେଷ ଦିନିକିଆ ରବିବାର ମାଂଚେଷ୍ଟରରେ ଖେଳାଯିବ ।