ତାଲିବାନ କବଜାରେ କାବୁଲ । ଆଫଗାନିସ୍ତାନକୁ ଖୁବଶୀଘ୍ର ନିଜ ନିୟନ୍ତ୍ରଣକୁ ନେବା ପାଇଁ ଯାଉଛି ତାଲିବାନ

198

ଖୁବ୍‌ଶୀଘ୍ର ସମଗ୍ର ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବାକୁ ଯାଉଛି। ୧୯ଟି ପ୍ରଦେଶ ଦଖଲ କରି ସେଠାରେ ନିଜର ଶାସନ ଲାଗୁ କରିଥିବା ତାଲିବାନ ଆଜି ରାତିରୁ ରାଜଧାନୀ କାବୁଲ ଦଖଲ ପ୍ରକ୍ରିୟା ଆରମ୍ଭ କରିଛି। ହିଂସା ଏଡ଼ାଇବା ନିମନ୍ତେ ଶାନ୍ତି ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବ ନେଇ ତାଲିବାନ ଅନେକ କଠୋର ସର୍ତ୍ତ ରଖିଛି। ରାଜଧାନୀ କାବୁଲର ଦକ୍ଷିଣରେ ଅବସ୍ଥିତ ଲୋଗର ପ୍ରଦେଶକୁ ତାଲିବାନ ଆଜି ଦଖଲ କରିନେବା ସହ ଏହାର ଉତ୍ତରାଞ୍ଚଳରେ ଥିବା ପ୍ରମୁଖ ସହର ମଜାର-ଏ-ସରିଫ ଉପରେ ବହୁମୁଖୀ ଆକ୍ରମଣ ଆରମ୍ଭ କରିଛି। ତାଲିବାନମାନେ ସମଗ୍ର ଲୋଗର ପ୍ରଦେଶକୁ କବ୍‌ଜା କରିନେଇଥିବାରୁ ଏବେ କାବୁଲ ଦଖଲ ସେମାନଙ୍କ ପାଇଁ ଆହୁରି ସହଜ ହୋଇଯାଇଛି। ଏବେ ସରକାରୀ ସେନା ନିୟନ୍ତ୍ରଣରେ କେବଳ କାବୁଲ ଓ ଅନ୍ୟ ୩ ପ୍ରଦେଶର ରାଜଧାନୀ ରହିଛି ଏବଂ ସେମାନେ ଆଉ ତାଲିବାନର ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ଜଣାପଡ଼ିଛି।

ଆଜି ରାଷ୍ଟ୍ରପତି ଅସରଫ୍‌ ଘନି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ସେନାକୁ ପୁଣି ସଂଗଠିତ କରି କାବୁଲକୁ ରକ୍ଷା କରିବାକୁ ପ୍ରୟାସ କରାଯିବ ବୋଲି ଘୋଷଣା କରିବାରୁ ବିଭ୍ରାନ୍ତି ଉପୁଜିଛି। ଏଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ସହଯୋଗ କରିବାକୁ ଘନି ନିବେଦନ କରିଛନ୍ତି। ତାଲିବାନର ବର୍ବରତାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସୁରକ୍ଷା ବାହିନୀ ଲଢ଼େଇ ଜାରି ରଖିଛି ଏବଂ ଆଗକୁ କେତେକ ବଡ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଘନି କହିଛନ୍ତି। ଲୋକଙ୍କ ଉପରେ ଯୁଦ୍ଧ ଲଦି ଦିଆଯାଇଛି ଏବଂ ଏହାର ନିଶ୍ଚିତ ରାଜନୈତିକ ସମାଧାନ କରିବାକୁ ମୁଁ ଉଦ୍ୟମ କରିବି ବୋଲି ଘନି ଦେଶବାସୀଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ବଡ଼ ସଂଘର୍ଷ ଏଡ଼ାଇବା ନିମନ୍ତେ ରାଷ୍ଟ୍ରପତି ଘନି ତୁରନ୍ତ ଇସ୍ତଫା ଦେବାପାଇଁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଚାପ ସୃଷ୍ଟି କରୁଥିବା ଜଣାପଡ଼ିଛି। ବିଶ୍ବ ସମୁଦାୟର ପ୍ରବଳ ଚାପର ସମ୍ମୁଖୀନ ହୋଇଥିବା ତାଲିବାନ ଆଜି ଆଫଗାନ୍‌ ସରକାରଙ୍କ ସହ ଶାନ୍ତି ଆଲୋଚନା ଆରମ୍ଭ କରିବା ପାଇଁ କେତେକ କଠୋର ସର୍ତ୍ତ ରଖିଛି।

ତାଲିବାନ ନିଜ ପସନ୍ଦର ନେତାଙ୍କ ସହ ଆଲୋଚନା କରିବ ଏବଂ କ୍ଷମତା ଦଖଲକୁ ନେଇ କୌଣସି ସାଲିସ କରିବ ନାହିଁ। କାବୁଲ ଦଖଲ ପ୍ରକ୍ରିୟାରେ କୌଣସି ଦୂତାବାସ, ବିଦେଶୀ ପ୍ରତିଷ୍ଠାନ ଏବଂ ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ ହେବନାହିଁ ବୋଲି ତାଲିବାନ କହିଛି। ଶାନ୍ତି କଥାବାର୍ତ୍ତାରେ ରାଷ୍ଟ୍ରପତି ଅସରଫ୍‌ ଘନିଙ୍କୁ ସାମିଲ ନକରିବାକୁ ମଧ୍ୟ ତାଲିବାନ ସର୍ତ୍ତ ରଖିଛି। ଆଫ୍‌ଗାନ ସଂସ୍କୃତିର ରକ୍ଷାକର୍ତ୍ତା ଭାବେ ପରିଚିତ ପ୍ରିନ୍ସ ମୀରୱାଇଜ୍‌ ଖାନ୍‌ଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ତାଲିବାନ ପ୍ରସ୍ତୁତ ଥିବା କହିଛି। ଏହା ସହିତ ଶାନ୍ତି କଥାବାର୍ତ୍ତା ପୂର୍ବରୁ ଆଫ୍‌ଗାନିସ୍ତାନର ଜେଲ୍‌ରେ ଥିବା ସମସ୍ତ ତାଲିବାନ ବନ୍ଦୀଙ୍କୁ ମୁକ୍ତ କରିବାକୁ ମଧ୍ୟ ତାଲିବାନ ସର୍ତ୍ତ ରଖିଛି। ଏଭଳି କଠୋର ସର୍ତ୍ତ ରଖି ତାଲିବାନ ଆଫଗାନ ସରକାରକୁ ଅସହାୟତ ସ୍ଥିତିରେ ପକାଇ ଦେଇଥିବା ବେଳେ ଆମେରିକା ଏବେ ନିଜର ନାଗରିକଙ୍କୁ କାବୁଲରୁ ନିରାପଦ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି।