ତୃଣମୂଳ କଂଗ୍ରେସର ପ୍ରବକ୍ତାଙ୍କୁ ବାନ୍ଧିଲା ଗୁଜରାଟ ପୋଲିସ, ଜାଣନ୍ତୁ କାରଣ

139

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମମତାଙ୍କ ଅତି ନିକଟତର କୁହାଯାଉଥିବା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି । ତାଙ୍କୁ ସୋମବାର ଦିନ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରାଯାଇଛି । ଗୁଜରାଟ ମୋରବୀ ଠାରେ ହୋଇଥିବା ପୋଲ ଦୁର୍ଘଟଣାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଭୁଲ ଖବର ଭାଇରାଲ କରିଥିବା ଅଭିଯୋଗରେ ତାଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି । ସାକେତ ଗିରଫ ହୋଇଥିବା ନେଇ ଟିଏମସିର ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାୟନ ସୂଚନା ଦେଇଛନ୍ତି ।

ଡେରେକଙ୍କ ସୂଚନା ମୁତାବକ ସାକେତ ସୋମବାର ରାତି ୯ ଟା ବେଳେ ଦିଲ୍ଲୀରୁ ବିମାନ ଯୋଗେ ଆସି ଜୟପୁର ବିମାନବନ୍ଦରରେ ପହଂଚିବା ମାତ୍ରେ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଥିବା ଡେରେକ କହିଛନ୍ତି ।

ତାଙ୍କୁ ଗିରଫ କରାଯିବା ପରେ ପୋଲିସ ତାଙ୍କୁ ମାତ୍ର ୨ ମିନିଟ ପାଇଁ ଫୋନ କରିବାର ସୁଯୋଗ ଦେଇଥିଲା । ଏହାପରେ ତାଙ୍କ ଠାରୁ ମୋବାଇଲ ଫୋନ ସମେତ ସମସ୍ତ ଜିନିଷ ଜବତ କରିଛି । ଡେରେକ କହିଛନ୍ତି କି ମୋରବୀ ପୋଲ ଦୁର୍ଘଟଣା ପରେ ସାକେତଙ୍କ ନାମରେ ଅହମ୍ମଦାବାଦ ସାଇବର ଥାନାରେ ଏକ ମିଥ୍ୟା ମକୋଦ୍ଦମା ରୁଜୁ କରାଯାଇଥିଲା । ସେହି ଆଧାରରେ ଗୁଜରାଟ ପୋଲିସ ସାକେତଙ୍କୁ ଗିରଫ କରିଛି । ଡେରେକ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ସହ ତମାମ୍ ବିରୋଧୀଦଳର ନେତାମାନଙ୍କ ସ୍ୱର ଚାପି ଦେବାକୁ ବିଜେପି ପ୍ରୟାସ କରିଛି । ଏହା ପ୍ରତିଶୋଧ ରାଜନୀତି ବୋଲି ସେ କହିଛନ୍ତି ।