ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । କରିବ ମାରାଥନ ଜେରା, ସାମ୍ନାକୁ ଆସିପାରନ୍ତି ବଡ ଚେହେରା ।

77

କନକ ବ୍ୟୁରୋ : ରିମାଣ୍ଡରେ ଯିବେ ବ୍ଲାକ୍ମେଲ କୁଇନ୍ ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ଝାରପଡ଼ା ଜେଲରେ ପହଞ୍ଚିଛନ୍ତି ଇଡି ଟିମ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ । ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ ଖୋଜୁଛି ଇଡି । ଗତକାଲି କୋର୍ଟ ୭ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଦେଇଛନ୍ତି ଅନୁମତି । ପୂର୍ବରୁ ଅନେକ ବ୍ୟକ୍ତି ଏହି ମାମଲାରେ ଇଡି ଅଧିକାରୀଙ୍କ ଜେରାକୁ ସାମ୍ନା କରିଛନ୍ତି । ହେଲେ ଅର୍ଚ୍ଚନାଙ୍କ ମାମଲା ସାମ୍ନାକୁ ଆସିବା ପରେ ଯେଉଁ ଚର୍ଚ୍ଚା ହେଉଥିଲା ଯେ ଏଥିରେ ଅନେକ ବଡ ବଡିଆ ସାମିଲ ଅଛନ୍ତି । କିନ୍ତୁ ଏଯାଏ ସେଭଳି କୌଣସି ବଡ ଚେହେରା ଇଡିରେ ହାଜର ହୋଇ ନାହାନ୍ତି । ଏବେ ଅର୍ଚ୍ଚନାଙ୍କୁ ଜେରା କରିବାକୁ ଯାଉଛି ଇଡିର ତଦନ୍ତ ଅଧିକାରୀ ଟିମ୍ । ତେଣୁ ନୂଆ ନାଁ ଏବେ ସାମ୍ନାକୁ ଆସିପାରେ ।

ଗତକାଲି ଅର୍ଚ୍ଚନା ତଥାକଥିତ ପୀଡିତଙ୍କ କଥା ଉଠାଇଥିଲେ ମିଡିଆ ସାମ୍ନାରେ । ସେପଟେ ସୋମବାର କୋର୍ଟରେ ହାଜର ହେବା ବେଳେ ଅର୍ଚ୍ଚନା ଗଣମାଧ୍ୟମକୁ ଦେଇଥିବା ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା କମିଶନରେଟ ପୋଲିସକୁ ବିବାଦ ଘେରକୁ ଟାଣିଛି । ଆଉ ଏହି ମାମଲାରେ ଆରମ୍ଭରୁ କମିଶନରେଟ ପୋଲିସର ଭୂମିକା ମଧ୍ୟ ପ୍ରଶ୍ନ ଘେରରେ ରହିିଛି । ଅର୍ଚ୍ଚନା କହିଛନ୍ତି, ତାଙ୍କୁ ପ୍ରଥମେ ୬୦ ଘଂଟା କାଳ ବାଲିଅନ୍ତା ପୋଲିସ ନଜରବନ୍ଦୀ କରାଯାଇଥିଲା । କୋର୍ଟ ଚାଲାଣ ବେଳେ ପୁଲିସ କାହିଁକି ତାଙ୍କ ହାତ ଓ ମୁହଁକୁ ଚାପିଧରିଥିଲା ତାହା ଏବେ ପ୍ରଶ୍ନ ଘେରରେ । ଯାହା ସବୁ ଘଟୁଛି ତାହା ପୂର୍ବ ଯୋଜନା ମୁତାବିକ ବୋଲି ଅର୍ଚ୍ଚନା କହିଛନ୍ତି । ଆଉ ତାଙ୍କ ବିରୋଧରେ ଏକପାଖିଆ ଖବର ପ୍ରସାରଣ ହେଉଛି ବୋଲି ସେ କହିଛନ୍ତି । ତେବେ ଅର୍ଚ୍ଚନାଙ୍କ ବୟାନକୁ ଡିସିପି ଖାରଜ କରିିଥିବା ସୂଚନା ରହିଛି ।