ମାହାଙ୍ଗା ଗଣହତ୍ୟା ମାମଲା : ଆଜିଠୁ ଅଭିଯୁକ୍ତକୁ ରିମାଣ୍ଡରେ ନେବ ପୋଲିସ; ଆବଶ୍ୟକ ପଡ଼ିଲେ ଶିବପ୍ରସାଦକୁ ନେଇ କରାଯାଇପାରେ କ୍ରାଇମ୍ ସିନ୍ ରିକ୍ରିଏସନ୍

142

କନକ ବ୍ୟୁରୋ : ମାହାଙ୍ଗାରେ ବର୍ବର ଗଣହତ୍ୟା ମାମଲାରେ ଆଜିଠୁ ଅଭିଯୁକ୍ତ ଶିବପ୍ରସାଦକୁ ରିମାଣ୍ଡରେ ନେବ ପୋଲିସ । ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ । ଆବଶ୍ୟକ ପଡ଼ିଲେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇପାରେ । ଏହି ଗଣହତ୍ୟାକୁ ନେଇ ନାନା ସନ୍ଦେହ ସୃଷ୍ଟି ହେବାରେ ଲାଗିଛି । ତଦନ୍ତ ଆଗକୁ ବଢିବା ସହ ନୂଆ ନୂଆ ତଥ୍ୟ ପୋଲିସ ହାତକୁ ଆସିବାରେ ଲାଗିଛି ।

କେବଳ ଜଣେ ବ୍ୟକ୍ତି ଏକୁଟିଆ କେମିତି ୫ ଜଣଙ୍କୁ ହତ୍ୟା କରିପାରିବ ? ତାକୁ ନେଇ ଉଠିଛି ପ୍ରଶ୍ନ । ହତ୍ୟାକାଣ୍ଡରେ ବ୍ୟବାହାର ହୋଇଥିବା କଟୁରୀକୁ ଜବତ କରିଛି ପୁଲିସ । କଟୁରୀରେ ଲାଗିଥିବା ରକ୍ତକୁ ଏବେ ଲ୍ୟାବରେ ଟେଷ୍ଟ କରାଯିବ ବୋଲି ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ଏଥିସହ ଅଭିଯୁକ୍ତର ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି । ମୋବାଇଲ କଲ ରେକର୍ଡକୁ ଯାଂଚ କରିବା ପରେ ହତ୍ୟା ଘଟଣାରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଏସପି ସୂଚନା ଦେଇଛନ୍ତି । ୫ ଜଣଙ୍କୁ ହତ୍ୟା କରିବା ପରେ ଭୋରରୁ ଶିବ ପ୍ରସାଦ ସାହୁ ପାଖରେ ଥିବା ନଦୀକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । ଆଉ ଗାଧୋଇବା ପରେ ଗାଁରେ ଆସି ଲୋକଙ୍କ ସହ ସ୍ୱାଭାବିକ ଭାବେ କଥା ହୋଇଥିଲେ । ସେତେବେଳେ ଯାଏ କିଛି ଜଣାପଡିନଥିଲା । ଆଉ ଭିଡିଓ କରି ପଠାଇବା ପରେ ଘଟଣା ପଦାକୁ ଆସିଥିଲା ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ଶିବପ୍ରସାଦ ସାହୁ ନିଶ୍ଚିହ୍ନ କରିଦେଇଥିଲା । ବଡ଼ଭାଇ ଅଲେଖ ସାହୁ, ପତ୍ନୀ ରଶ୍ମିରେଖା ପୃଷ୍ଟି, ବଡ଼ପୁଅ ସ୍ମୃତି ସାହିଲ ସାହୁ, ସାନପୁଅ ସ୍ମୃତି ସୌରଭ ଓ ଝିଅ ସ୍ମୃତିସନ୍ଧ୍ୟା ସାହୁଙ୍କୁ ହତ୍ୟା କରିବା ପରେ ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଥିଲା । କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବଢ଼ିବାରେ ଲାଗିଛି । ଯେଉଁ ଜମି କଥା କୁହାଯାଉଛି ତାକୁ ନେଇ ଦୀର୍ଘ ୧୦ରୁ ଅଧିକ ବର୍ଷ ହେଲା ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଚାଲିଥିଲା ।

ଅନେକ ସମୟରେ ସରପଞ୍ଚ ଓ ଗାଁର ମୁରବିମାନେ ଆପୋଷ ସମାଧାନ କରିଥିଲେ ବି ବିଫଳ ହେବାକୁ ପଡ଼ିଥିଲା । ତାଛଡ଼ା, କୋଟି କୋଟି ଟଙ୍କାର ସମ୍ପତ୍ତି ନୁହେଁ ଯେ, ସେଥିପାଇଁ ଏତେ ବଡ ଜଘନ୍ୟ କାଣ୍ଡ ଘଟିବ ? ଏ ସବୁ ଦିଗକୁ ଦେଖିଲେ, ହତ୍ୟାକାଣ୍ଡ ଜମି ବିବାଦରୁ ଘଟିଛି ବୋଲି ସହଜରେ କେହି ବିଶ୍ବାସ କରି ପାରୁନାହାନ୍ତି । ଯେଉଁଭଳି ଢଙ୍ଗରେ ଶିବ ଭିଡିଓ ଭାଇରାଲ୍‌ କରିଥିଲା ତାହା ମଧ୍ୟ ସନ୍ଦେହାସ୍ପଦ ମନେ ହେଉଛି । ସେହି ଭିଡିଓ ସେ ନିଜେ କରିଛି, ନା ଆଉ କାହା ଦ୍ବାରା ରେକର୍ଡିଂ କରାଇଛି, ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଜରୁରୀ ହୋଇପଡ଼ିଛି । ଆବଶ୍ୟକ ପଡିଲେ ପୁଲିସ ହତ୍ୟାକାରୀ ଶିବକୁ ରିମାଣ୍ଡରେ ଆଣି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ସାଲେପୁର ଏସ୍‌ଡିପିଓ ବିମଳ ବାରିକ ।