ଶିକାର ଭୁଲିଗଲା ‘ସୁନ୍ଦରୀ’ ? ଖାଇ ଖାଇ ମୋଟି ହୋଇଗଲା ବାଘୁଣୀ, ବିଶେଷଜ୍ଞ କହିଲେ ଜଙ୍ଗଲି ସ୍ୱଭାବ ହରାଇଛି ସୁନ୍ଦରୀ ।

490

କନକ ବ୍ୟୁରୋ : ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରେଇନେବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ଚିଠି ଲେଖିବା ପରେ ବନବିଭାଗ ବାଘୁଣୀର ଦୁଇଟି ଫଟୋ ଜାରି କରିଛି । ଏଥିରେ ବାଘୁଣୀ ସୁନ୍ଦରୀ ସୁସ୍ଥ ସବଳ ଥିବା ଦର୍ଶାଇବାକୁ ଚାହିଁଛି ବନବିଭାଗ । ତେବେ ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସୁନ୍ଦରୀ ବହୁତ ମୋଟୀ ଦେଖାଯାଉଥିବା ବେଳେ ଏନକ୍ଲୋଜର ଭିତରେ ରହି ସେ ଶୀକାର ଭୁଲିଯାଇଥିବା କୁହାଯାଉଛି ।

‘ସୁନ୍ଦରୀ’ ଭୁଲିଗଲା କି ଶିକାର ? ସୁସ୍ଥ ଚେହେରା କିନ୍ତୁ ନାହିଁ ବାଘର ଚଂଚଳତା । ଦେଖନ୍ତୁ ବାଘୁଣୀ ସୁନ୍ଦରୀର ଏହି ଦୁଇଟି ଫଟୋକୁ । ଗୋଟିଏ ଫଟୋ ସେପ୍ଟେମ୍ବର ୪ ତାରିଖରେ ଉଠାଯାଇଥିଲା । ଅନ୍ୟ ଫଟୋଟି ଉଠିଥିଲା ଡିସେମ୍ବର ୧୩ ତାରିଖରେ । ସାତକୋଶିଆର ରାଇଗୁଡା ଏନକ୍ଲୋଜରରେ ଲାଗିଥିବା ସିସିଟିଭିରୁ ଏହି ଫଟୋ ସଂଗ୍ରହ କରାଯାଇଛି ।

ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରେଇନେବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ଚିଠି ଲେଖିବା ପରେ ବନବିଭାଗ ଜାରି କରିଛି ଦୁଇଟି ଫଟୋ । ଫଟୋ ଦୁଇଟି ମାଧ୍ୟମରେ ବାଘୁଣୀ ସୁନ୍ଦରୀ ସୁସ୍ଥ ସବଳ ଥିବା ଦର୍ଶାଇବାକୁ ଚାହିଁଛି ବନବିଭାଗ । ତେବେ ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ସୁସ୍ଥ ସବଳ ଦେଖାଯାଉଥିବା ‘ସୁନ୍ଦରୀ’ର ଅଛି ତ’ ପୂର୍ବଭଳି ଚଂଚଳତା ? ଛୋଟିଆ ଏନକ୍ଲୋଜରରେ ରହି ଭୁଲିଯାଇନି ତ’ ଜଙ୍ଗଲୀ ସ୍ୱଭାବ ? ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି, ଦୀର୍ଘ ଦିନ ଧରି ଶିକାର କରି ଖାଇନି ବାଘୁଣୀ । ବନ ବିଭାଗ ଅନ୍ୟ ପଶୁକୁ ଟ୍ରାଙ୍କୁଲାଇଜ କରି ତାକୁ ଖାଇବାକୁ ଦେଉଛି । ଫଳରେ ଶରୀର ସୁସ୍ଥ ଦେଖାଯାଉଛି । କିନ୍ତୁ ଜଙ୍ଗଲୀ ବାଘର ପୂର୍ତି ହଜିଯାଇଛି ।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷଙ୍କ ନିଷ୍ପତି ଅନୁସାରେ ସୁନ୍ଦରୀକୁ ଫେରାଇ ନିଆଯାଇ କାହ୍ନା ଅଭୟାରଣ୍ୟର ଘୋରେଲା ସେଂଟରକୁ ନିଆଯିବ । ସେଠାରେ ତା’ର ପୂର୍ବ ଶିକାରୀ ପ୍ରବୃତିକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରାଯିବ । ତେବେ ଆଉ ଥରେ ସୁନ୍ଦରୀ, ଓଡ଼ିଶା ଫେରିବା ସମ୍ଭାବନା କମ୍ ବୋଲି କହିଛନ୍ତି ବ୍ୟାଘ୍ର ବିଶେଷଜ୍ଞ । ତେବେ ସୁନ୍ଦରୀ ଆସିବା ଓ ସୁନ୍ଦରୀକୁ ଫେରାଇ ନିଆଯିବା ନିଷ୍ପତି ଭିତରେ ପଦାରେ ପଡ଼ିଛି ଓଡ଼ିଶା ବନ ବିଭାଗର ଅପରାଗତା ।