ବିଜେପିକୁ ଭୁବନେଶ୍ୱର ଓ କଳାହାଣ୍ଡି ଅଡୁଆ । ଘୋଷଣା ହୋଇପାରିଲାନି ଜିଲ୍ଲା ସଭାପତିଙ୍କ ନାଁ, ଚାଲିଛି ହେବିୱେଟ୍ ନେତାଙ୍କ ଭିତରେ ଛକାପଞ୍ଝା

497

କନକ ବ୍ୟୁରୋ : ଭୁବନେଶ୍ୱର ବିଜେପି ସଂଗଠନରେ ସବୁ କିଛି ଠିକଠାକ ଚାଲିନଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସ୍ପଷ୍ଟ ଭାବେ ପରିଲଖିତ ହେବାରେ ଲାଗିଛି । କାରଣ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଘୋଷଣା ହୋଇନି ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାମ । କୁହାଯାଉଛି, ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିବାରୁ ଜିଲ୍ଲା ସଭାପତି ନାଁ ଘୋଷଣା କରାଯାଇନାହିଁ । ସେହିପରି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି କିଏ ହେବ, ସେ ଅଙ୍କ ମଧ୍ୟ ଛିଡୁନାହିଁ ।

ରାଜ୍ୟ ସଭାପତି ଚୟନ ପୂର୍ବରୁ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଚୟନ ପାଇଁ ଅଣ୍ଟା ଭିଡିଥିଲା ବିଜେପି । ଗତ ୧୫ ଓ ୧୬ ତାରିଖରେ ନିର୍ବାଚନ ହୋଇ ଫଳାଫଳ ପ୍ରକାଶ ପାଇଲା । ଆଉ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଗଲା, ହେଲେ ଘୋଷଣା ହେଲାନି ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାମ ।

ଭୁବନେଶ୍ୱର ବିଜେପି ସଂଗଠନରେ ସବୁ କିଛି ଠିକଠାକ ଚାଲିନଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ସ୍ପଷ୍ଟ ଭାବେ ପରିଲଖିତ ହେବାରେ ଲାଗିଛି । ନିକଟରେ ଜିଲ୍ଲା ସଭାପତି ଥିବା ହରେକୃଷ୍ଣ ଖୁଂଟିଆଙ୍କୁ ଅନ୍ୟ ଗୋଷ୍ଠୀର ସମର୍ଥକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।  ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ନିର୍ବାଚିତ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଂଝା ତୀବ୍ର ହେବାରେ ଲାଗିଛି । ତେବେ ଦଳ ପକ୍ଷରୁ କୁହାଯାଇଛି ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ଥିବାରୁ ଜିଲ୍ଲା ସଭାପତି ନାଁ ଘୋଷଣା କରାଯାଇନାହିଁ । ସେହିପରି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି କିଏ ହେବ, ସେ ଅଙ୍କ ମଧ୍ୟ ଛିଡୁନାହିଁ ।

ସେପଟେ କଳାହାଣ୍ଡିର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଜୋରଦାର ଅଙ୍କକଷା ଚାଲିଛି । କୁହାଯାଉଛି, ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁଁ ଅଟକି ଯାଇଛି କଳାହାଣ୍ଡି ଜିଲ୍ଲା ସଭାପତି ଚୟନ ।  ଏପଟେ ଚର୍ଚ୍ଚା ହେଉଛି, ରାଜ୍ୟ ସଭାପତି ଚୟନ ପୂର୍ବରୁ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବନାହିଁ । ୩୬ ସାଂଗଠନିକ ଜିଲ୍ଲା ମଧ୍ୟରେ ୩୪ ଜିଲ୍ଲାର ସଭାପତି ନିର୍ବାଚିତ ହୋଇଥିବାରୁ ରାଜ୍ୟ ସଭାପତି ଚୟନରେ କୌଣସି ବାଧା ନାହିଁ । ତେଣୁ ନୂଆ ରାଜ୍ୟ ସଭାପତି ହିଁ ଏହି ଦୁଇ ଜିଲ୍ଲାର ସଭାପତି ନାଁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।