ଗାଁ ଦାଣ୍ଡରେ ସମୁଦ୍ର ପାଣି, ମୁହାଣ ଦେଇ ଚିଲିକା ନିକଟସ୍ଥ ଗାଁରେ ପଶିଗଲା ଜୁଆର। ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ଗ୍ରାମବାସୀ।

99

କନକ ବ୍ୟୁରୋ: ଚିଲିକା କୂଳ ଗାଁରେ ପଶି ଯାଇଛି ସମୁଦ୍ର ଜୁଆର । ମୁହାଣ ଦେଇ ଗାଁରେ ପାଣି ପଶିଯାଇଥିବା ବେଳେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଘରୁ ବାହାରିବା କଷ୍ଟକର ହୋଇପଡିଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ଡଙ୍ଗା ଚାଲିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦ ଗାଁରେ ଜୁଆର ପାଣି ପଶିଯାଇଛି । ଏହି ଗାଁରେ ପ୍ରାୟ ୧୦ ହଜାର ମତ୍ସ୍ୟଜୀବୀ ପରିବାର ରହୁଛନ୍ତି ।

୨୦୧୩ରେ ବାତ୍ୟା ଫାଇଲିନ୍ ସମୟରେ ଗାଁର ଦୁଇଟି ସାହିକୁ ଚିଲିକା ଭିତରକୁ ଟାଣି ନେଇଥିଲା ଜୁଆର । ଏବେ ପୁଣି ସେହି ଭୟ ଲୋକଙ୍କୁ ଘାରିଛି । କାରଣ ଗାଁର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ୨୬ କିଲୋମିଟର ବ୍ୟାପୀ ସୁରକ୍ଷା ପାଚେରୀ କାମ ଏଯାଏଁ ସରୁନାହିଁ । ଯାହା ଅଳ୍ପ କିଛି ତିଆରି ହୋଇଥିଲା, ତାହା ଏବେ ଭାଙ୍ଗିଯାଇଛି । ସେପଟେ ଚିଲିକାରେ ୬ଟି ପ୍ରାକୃତିକ ମୁହାଣ ଖୋଲି ସାରିଛି । ତେଣୁ ପୂର୍ଣ୍ଣିମା ଓ ଅମାବାସ୍ୟା ସମୟରେ ମୁହାଣ ଦେଇ ଗାଁକୁ ସମୁଦ୍ର ଜୁଆର ପଶିଯାଉଛି । ଯାହା ସ୍ଥାନୀୟ ଲୋକଙ୍କ ନିଦ ହଜେଇ ଦେଇଛି ।