ରାତି ତମାମ ଜଗି ରହିବା ପରେ ସକାଳୁ ଲାଗିଗଲା ନୋ-ଟିକେଟର ସୂଚନା! ଲୋକଙ୍କ ପ୍ରଶ୍ନ. କୁଆଡେ ଗଲା ୧୫ ହଜାର ଟିକେଟ?

ମିଳିଲାନି ଉଦଘାଟନୀ ମ୍ୟାଚର ଟିକେଟ, କାଉଣ୍ଟର ଭାଙ୍ଗିଲେ ହକିପ୍ରେମୀ ? 

146

କନକ ବ୍ୟୁରୋ : ବିଶ୍ୱକପ ହକିକୁ ଆଉ ମାତ୍ର ୧୧ଦିନ । ହେଲେ ଏବେଠୁ ଟିକଟ ପାଇବାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଳିଙ୍ଗ ଷ୍ଟାଡିୟମରେ ଓପନିଂ ସେରମନିର ଟିକଟ ପାଇବା ପାଇଁ ଦର୍ଶକ ଲମ୍ବା ଲାଇନ ଲଗାଇଥିବା ବେଳେ କାଉଂଟର ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରହସ୍ୟରେ ହକି ବିଶ୍ୱକପ ଟିକେଟ । କୁଆଡେ ଗଲା ୧୫ ହଜାର ଟିକେଟ । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଉଦଘାଟନି ମ୍ୟାଚ ଟିକେଟ୍ ନପାଇବାରୁ ଉତେଜନା ଦେଖାଦେଇଛି । ଟିକେଟ୍ ନପାଇବାରୁ ୯ନମ୍ବର ଗେଟ୍ ନିକଟରେ ଥିବା ଟିକେଟ୍ କାଉଣ୍ଟର ଭଙ୍ଗାରୁଜା କଲେ ଦର୍ଶକ । ହକି ବିଶ୍ୱକପର ଉଦଘାଟନୀ ମ୍ୟାଚ ଦେଖିବା ପାଇଁ  ଲମ୍ବା ଲାଇନ ଲଗାଇଥିଲେ ବହୁ ସଂଖ୍ୟାରେ ଦର୍ଶକ  । କାରଣ ଉଦଘାଟନୀ ଉତ୍ସବରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ସହ ଏ ଆର ରେହମାନ ଯୋଗଦେବେ । ତେଣୁ ନିଜ ପ୍ରିୟ କଳାକାରଙ୍କୁ ଏତେ ପାଖରୁ ଦେଖିବାର ସୁଯୋଗ ହାତଛଡା କରିବାକୁ ଚାହୁଁନଥିଲେ ଦର୍ଶକ ।  ହେଲେ ସକାଳୁ ସକାଳୁ କର୍ତୁପକ୍ଷଙ୍କ ପକ୍ଷରୁ ଟିକେଟ ମିଳିବନି ବୋଲି ନୋଟିସ୍ ମରାଯିବାକୁ ନେଇ ଉତେଜିତ ହୋଇପଡିଥିଲେ ଟିକେଟ କିଣିବାକୁ ଅପେକ୍ଷା କରିଥିବା ଲୋକେ ।  ପୋଲିସ ପହଂଚି ପରିସ୍ଥିତି ସମ୍ଭାଳିବାକୁୁ ଚେଷ୍ଟା କରିଥିଲା । ହାଲକା ଲାଠିଚାର୍ଜ ମଧ୍ୟ କରିଥିଲା ପୋଲିସ ।

କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚ ଦେଖିବା ପାଇଁ ମୋଟ ୧୫ ହଜାର ସିଟର ବ୍ୟବସ୍ଥା ରହିଛି । ଏଥି ମଧ୍ୟରୁ ୫ହଜାର ଭିଆଇପିଙ୍କ ପାଇଁ ସିଂରକ୍ଷିତ ରହିଥିବା ବେଳେ ବାକି ୧୦ ହଜାର ସିଟ ଦର୍ଶକମାନଙ୍କ ପାଇଁ ବିକ୍ରି ହେବାର ବ୍ୟବସ୍ଥା ରହିଛି । କିନ୍ତୁ ଏତେ ସଂଖ୍ୟକ ଟିକଟ କାଉଂଟରରେ ବିକ୍ରି ହେବନାହିଁ ବୋଲି ଆୟୋଜକ କହୁଛନ୍ତି । ମ୍ୟାଚର ଟିକଟ ଅନଲାଇନରେ ବିକ୍ରି ହେବାର ବ୍ୟବସ୍ଥା ହୋଇଛି । କିନ୍ତୁ ଅଲଲାଇନରେ ଦେଖିବାକୁ ବେଳକୁ ସୋଲଡ ଆଉଟ ବୋଲି ଦୃଶ୍ୟମାନ ହେଉଛି । ଏବେ ପ୍ରଶ୍ନ ଉଠୁଛି ଏତେ ଯଲଦି ଏସବୁ ଟିକଟ ଗଲା କୁଆଡେ ?  କିଏ ଏହା ପଛର ମୁଖ୍ୟ ନାୟକ । ରାତି ଅଧରୁ ଶୀତ କାକରରେ ଟିକେଟ ପାଇଁ ଧାଡି ବାନ୍ଧି ଛିଡା ହୋଇଥିଲେ ମଧ୍ୟ କାହିଁକି ମିଳିଲାନି ଟିକେଟ । ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଆଜି ଟିକେଟ୍ ବିକ୍ରି ପାଇଁ କୌଣସି ତାରିଖ ଘୋଷଣା କରାଯାଇନଥିଲା । କେବେ ବିକ୍ରି ହେବ ସେନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତି ହେବ । ତେବେ ଓପନିଂ ସେରେମନିର ଟିକଟ ଅନଲାଇନରେ ବିକ୍ରି ହେବ ବୋଲି କ୍ରୀଡା ସଚିବ କହିଛନ୍ତି । କିନ୍ତୁ ଅନଲାଇନରେ କେତେ ଟିକେଟ ବିକ୍ରି ହେବ ସେନେଇ କୌଣସି ସୂଚନା ଦେଇନାହାନ୍ତି କ୍ରୀଡା ସଚିବ । ଯାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।ଏପରିକି ହକି ବିଶ୍ୱକପ ସହ ଜଡିତ କିଛି ଅଧିକାରୀଙ୍କ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ସାଧାରଣ ଦର୍ଶକ ।

ଏପରିକି ଟିକଟ କଳାବଜାରି ହେଉଥିବା ମଧ୍ୟ ଅଭିଯୋଗ ଆସିଛିା ଏସବୁ ଭିତରେ ବିଶ୍ୱକପ ହକିକୁ ଆଉ ମାତ୍ର ୧୧ଦିନ ବାକି ଥିବା ବେଳେ କ୍ରୀଡା ପ୍ରେମୀମାନେ ଠିକ ସମୟରେ ଟିକଟ ପାଇବେ କି ନାହିଁ ସେ ନାହିଁ ପ୍ରଶ୍ନ ଉଠିଛି ।