କଂଗ୍ରେସ ମୁଖପାତ୍ରଙ୍କ ପାଇଁ ନୂଆ ଗାଇଡ଼ ଲାଇନ୍! 

ବିତର୍କରେ ଭାଗ ନେବା ପୂର୍ବରୁ ମିଡ଼ିଆ ସେଲ୍ ମୁଖ୍ୟଙ୍କ ସହ କରିବେ ଆଲୋଚନା । 

181

କନକ ବ୍ୟୁରୋ: ରାଜ୍ୟରେ ପ୍ରଦେଶ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ନାନା ପ୍ରକାର ପ୍ରୟାସ କରୁଛନ୍ତି ପିିସିସି । ଏସବୁ ମଧ୍ୟରେ ଏକ ନୂଆ ଘଟଣା କଂଗ୍ରେସ ଶିବରରୁ ଜଣାପଡ଼ିଛି । ଏବେ ଗଣମାଧ୍ୟମ ସମ୍ମୁଖରେ ବିବୃତି କିମ୍ବା ଟେଲିଭିଜନ ଚ୍ୟାନେଲରେ କୌଣସି  ବିତର୍କରେ ଭାଗ ନେବାକୁ ହେଲେ ମୁଖପାତ୍ରମାନଙ୍କୁ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷଙ୍କଠାରୁ ଅନୁମତି ବା ମାର୍ଗଦର୍ଶନ କରିବାକୁ ପଡ଼ିବ ।

ଗତ କିଛିଦିନ ତଳେ କଂଗ୍ରେସର ମୁଖପାତ୍ର ବା ମିଡ଼ିଆଟିମ୍ ନେଇ ନବ କଳେବର କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ଅଣ୍ଟା ଭିଡ଼ିଥିଲେ ସଭିଏଁ । କିନ୍ତୁ କଂଗ୍ରେସର ମୁଖପାତ୍ରଙ୍କ ମଧ୍ୟରୁ କିଛି ମୁଖପାତ୍ରମାନେ ତଥ୍ୟ ଭିତିକ ଉପସ୍ଥାପନା କରି ପାରୁନଥିବା ଶୁଣିବାକୁ ମିଳିଛି । ତେଣୁ ଗଣମାଧ୍ୟ ବିଭାଗର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଏନେଇ ଖପ୍ପା ଥିବା ସୂଚନା ମିଳିଛି । ତେଣୁ ବର୍ତ୍ତମାନ ଏଭଳି କିଛି ଗାଇଡ଼ ଲାଇନ୍ ପ୍ରସ୍ତୁତ କରୁଛି ପ୍ରଦେଶ କଂଗ୍ରେସ ।

ଏବେ ଯେଉଁ ମୁଖପାତ୍ରମାନେ ଗଣମାଧ୍ୟମରେ ହେଉଥିବା ବିଭିନ୍ନ ବିତର୍କରେ ଭାଗ ନେବେ ସେ ବିଷୟ ବା ପ୍ରସଙ୍ଗରେ ଅଭିଜ୍ଞଥିବା ମୁଖପାତ୍ରମାନଙ୍କୁ ହିଁ ବିତର୍କରେ ଭାଗନେବାକୁ ଅନୁମତି ମିଳିବ । ଏବଂ ଶାସକ ବିଜେଡ଼ି ଓ ବିରୋଧୀ ବିଜେପିକୁ କାଉଣ୍ଟର କରିବା ପାଇଁ ଦଳର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସତ୍ୟପ୍ରକାଶଙ୍କ ଠାରୁ ଟ୍ରେନିଂ ନେଇ ବିତର୍କକୁ ଓହ୍ଲାଇବେ କଂଗ୍ରେସର ମୁଖପାତ୍ର । ଏବଂ ବର୍ତ୍ତମାନର ପ୍ରସଙ୍ଗ ଉପରେ ଯାହାର ଜ୍ଞାନ ବା ରାଜ୍ୟ ଓ କେନ୍ଦ୍ରକୁ କାଉଣ୍ଟର କରିବାର ଦକ୍ଷତାଥିବ ସେମାନେ ବିତର୍କରେ ଭାଗନେବେ ବୋଲି ଜଣାପଡ଼ିଛି ।