୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ । ସମୟ ସୀମା ମଧ୍ୟରେ ସ୍କୁଲ, କଲେଜକୁ ମିଳିବ ଜମିପଟ୍ଟା ।

86

କନକ ବ୍ୟୁରୋ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇଛି । ସରକାରଙ୍କ ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ ସୃଷ୍ଟି ହେବା ସହ ପରିବେଶ ସନ୍ତୁଳନ ଦିଗରେ ଏହା ସହାୟକ ହୋଇପାରିବ । ଅନ୍ୟପକ୍ଷରେ ଏହାଦ୍ୱାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ ଜମି ଭରଣା ହୋଇପାରୁଥିବାରୁ ସରକାରୀ ପ୍ରକଳ୍ପଗୁଡିକ ଅନାୟାସରେ ସମ୍ପୂର୍ଣ୍ଣ ହୋଇପାରିବ ।

ଅନ୍ୟପଟେ ସ୍କୁଲ ଓ କଲେଜଗୁଡିକୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଯୁକ୍ତ ୨ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷ, ତହସିଲଦାର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରାଯାଇ ନିୟମିତ ସମୀକ୍ଷା ବୈଠକ ହେଉଛି । ଏହି କମିଟି ଜମିଜମା ସମସ୍ୟାକୁ ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଇବେ । ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହି ସବୁ ଅନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯିବ । ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଓ ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀମାନେ ଯୋଗ ଦେଇଥିଲେ । ରେଲୱେ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ପରି ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଥିଲେ । ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ୍ ଉଠାଣ ଓ ଚୋରି ରୋକିବା ସହ ଲଘୁ ଖଣିଜ ଉତ୍ସଗୁଡିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।