‘ଟୁରିଷ୍ଟ ନେତା’ କହି ବିଜେପିର କେନ୍ଦ୍ରୀୟ ନେତାଙ୍କୁ କଟାକ୍ଷ କଲେ ନବୀନ । ମୁଁ ଅପମାନଜନକ ଭାଷା ପ୍ରୟୋଗରେ ବିଶ୍ୱାସ କରେନି…

69

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ବେଳେ ଓଡିଶାରେ ଚାଲିଛି ନେତା-ନେତା ଲଢେଇ ।ବୟାନବାଜିରେ ସରଗରମ ହେଉଛି ପ୍ରଚାର ମୈଦାନ ଏବଂ ରାଜ୍ୟ ରାଜନୀତି । କେନ୍ଦ୍ରୀୟ ନେତା- ରାଜ୍ୟ ନେତୃତ୍ୱଙ୍କୁ କଡା ଭାଷାରେ ସମାଲୋଚନା କରୁଥିବା ବେଳେ ଓଡିଶାର ନେତା ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି । ଆଉ ୟାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ପାଇଁ ପ୍ରଚାର କରିବାକୁ ଆସୁଥିବା କେନ୍ଦ୍ରୀୟ ନେତା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ।

ନବୀନ କହିଛନ୍ତି, ନିର୍ବାଚନ ଆସିଲେ ଓଡିଶାରେ କିଛି କେନ୍ଦ୍ରମନ୍ତ୍ରୀ ଏବଂ କିଛି ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳେ । ସେମାନେ ରାଜନୈତିକ ପର୍ଯ୍ୟଟକ ହୋଇ ଓଡିଶା ଆସନ୍ତି ଆଉ ନିର୍ବାଚନ ସରିଲେ ସେମାନେ ପୁଣି ଅଦୃଶ୍ୟ ହୋଇଯାଆନ୍ତି ଏବଂ ସେମାନଙ୍କ ଭାଷଣ ଓଡିଶାର ଜନତାଙ୍କ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ନବୀନ କଟାକ୍ଷ କରିଛନ୍ତି ।

ତେବେ ସବୁଠୁ ଦୁର୍ଭାଗ୍ୟଜନକ କଥା ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅପମାନଜନକ ଭାଷା ପ୍ରୟୋଗ କରୁଛନ୍ତି । ଯେଉଁଥିରେ ମୁଁ କଦାପି ବିଶ୍ୱାସ ରଖେନାହିଁ କି ଆମର ଏଠି ଏପରି ଭାଷାକୁ ଓଡିଶାବାସୀ ପ୍ରଶଂସା କରନ୍ତି ନାହିଁ ବୋଲି ବିଜେପିର ଶୀର୍ଷ ନେତାଙ୍କୁ ସିଧା ନିଶାନା କରିଛନ୍ତି ନବୀନ । ତେବେ ଭୋଟ୍ ପାଇଁ ଓଡିଶାରେ ଜୋରଦାର ପ୍ରଚାର ବେଳେ କେନ୍ଦ୍ରୀୟ ନେତା ବିଜେଡି ସରକାର ଉପରେ ଏବଂ ବିଜେଡି ନେତାଙ୍କ ଉପରେ ମନଇଚ୍ଛା ବର୍ଷୁଛନ୍ତି ଏବଂ କଡା ଭାଷାରେ ସମାଲୋଚନା କରୁଛନ୍ତି । ଯାହାକୁ କାଉଣ୍ଟର କରିଛନ୍ତି ନବୀନ ।