ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇୱାନ। ୨୪ ଘଣ୍ଟାରେ ୩ ଶକ୍ତିଶାଳୀ ଭୂମିକମ୍ପ।

135

କନକ ବ୍ୟୁରୋ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ତାଇୱାନ । ଗତ ୨୪ ଘଣ୍ଟାରେ ତିନୋଟି ଶକ୍ତିଶାଳୀ ଭୂମିକମ୍ପରେ ତାଇୱାନର ଦକ୍ଷିଣ ପୂର୍ବରେ ଥିବା ତାଇତୁଙ୍ଗ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଶନିବାର ରାତିରେ ୬.୪ ତୀବ୍ରତାର ଭୂକମ୍ପ, ରବିବାର ସକାଳେ ୬.୮ ତୀବ୍ରତା ଓ ଅପରାହ୍ନରେ ୭.୨ ତୀବ୍ରତା ଭୂକମ୍ପରେ ଥରିଉଠିଛି ତାଇତୁଙ୍ଗ ଅଞ୍ଚଳ । ଆଉ ଏହି ଭୂମିକମ୍ପର କେନ୍ଦ୍ର ତାଇତୁଙ୍ଗର ସହରର ୧୦ କିମି ମାଟି ତଳେ ବୋଲି କହିଛନ୍ତି ବୈିଜ୍ଞାନିକ ।

ତାଇୱାନରେ ଅପରାହ୍ନରେ ଆସିଥିବା ଭୂକମ୍ପ ଝଟକା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଭୂକମ୍ପର ଦୃଶ୍ୟ ଭୟଙ୍କର ଥିଲା, ସେହି ମୂହୂର୍ତ ଆପଣ ସହଜରେ ଅନୁମାନ କରିପାରିବେ । କିଛି ବାଇକ ଆରୋହୀ ଏକ ପାହାଡିଆ ଅଞ୍ଚଳ ଦେଇଯାଉଥିବା ସମୟରେ ଭୂକମ୍ପ ଝଟକାରେ ପାହାଡରୁ ଅତଡା ଧସୁଛି, ଅଳ୍ପକେ ବର୍ତିଯାଇଛନ୍ତି ବାଇକ ଆରୋହୀ । ରାସ୍ତା ଫାଟି ଆଁ କରିଛି । ତୀବ୍ର ଝଟକାରେ ଭାଙ୍ଗି ଯାଇଛି ପୋଲ । ପୋଲ ଭାଙ୍ଗିବାରୁ ବହୁ ଗାଡି ତଳକୁ ଖସି ପଡିଥିବା ବେଳେ ବହୁ ଗାଡି ରାସ୍ତାରେ ଅଟକି ରହିଛି ।

ସେପଟେ ଇନଡୋର ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ ଖେଳାଳି । ଏହି ସମୟରେ ଚଟାଣ, କାନ୍ଥ ଦୋହଳିବାରୁ ପ୍ରାଣ ବିକଳରେ ଦୌଡିଥିଲେ ଖେଳାଳି । ଆଖି ପିଛୁଳାକେ ଛାତରୁ ଲାଇଟ୍, ପ୍ଲାଇଉଡ ଖସିପଡିଥିଲା । ହୋଟେଲର ଫିସିଂ ପଏଣ୍ଟର ଚିତ୍ର ସାମ୍ନାକୁ ଆସୁଛି । ଭୂକମ୍ପ ଝଟକାରେ ଦୋଳି ଖେଳୁଛି ପାଣି । କେହି କିଛି ବୁଝିବା ଆଗରୁ ଭୁଶୁଡି ପଡିଛି ଉଚ୍ଚ ଅଟ୍ଟାଳିକା । ଚାରି ଆଡେ ଧୁଆଁ ଧୁଆଁ, ଅଟ୍ଟାଳିକାର ଭଗ୍ନାବଶେଷ ରାସ୍ତା ଉପରେ ପଡିଛି । ଆଉ ଲୋକେ ପ୍ରାଣ ବିକଳରେ ଦୌଡି ପଳାଇ ଆସୁଛନ୍ତି । ରେଳଷ୍ଟେସନରେ ଠିଆ ହୋଇଥିବା ଟ୍ରେନ ଭୂକମ୍ପ ଝଟକାରେ ପତ୍ର ଭଳି ଥରିବାରେ ଲାଗିଛି ।

ଦକ୍ଷିଣ-ପୂର୍ବ ତାଇୱାନରେ ୨୪ ଘଣ୍ଟା ଭିତରେ ତିନି ତିନି ଥର ଭୂକମ୍ପ ଝଟକା ଆସିବା ପରେ ୟୁଏସ ପେସିଫିକ ସେଣ୍ଟର ପକ୍ଷରୁ ତାଇୱାନ ପାଇଁ ସୁନାମି ଅଲର୍ଟ ଜାରିକରାଯାଇଛି । ସେପଟେ ଜାପାନର ଓକିନାୱା ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ୩.୨ ଫୁଟ ଉଚ୍ଚ ଲହଡିର ସୁନାମି ଅଲର୍ଟ ଜାରି କରାଯାଇଛି ।