ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ । ହୀରାକୁଦ ଡ୍ୟାମ ପରେ ବିଭିନ୍ନ ଜଳ ପ୍ରକଳ୍ପର ଅନୁଧ୍ୟାନ । ଏପଟେ ସତ୍ୟାଗ୍ରହ ଆରମ୍ଭ କଲା ମହାନଦୀ ବଞ୍ଚାଅ ସମିତି

73

କନକ ବ୍ୟୁରୋ: ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ହୀରାକୁଦ ନଦୀବନ୍ଧର ଦକ୍ଷିଣ ପାଶ୍ୱର୍ ଅନୁଧ୍ୟାନ ପରେ ବନ୍ଧର ମଧ୍ୟଭାଗ ଓ ବୁର୍ଲାପାୱାର ଚ୍ୟାନେଲ ପରିଦର୍ଶନ କରିଛନ୍ତି । ତେବେ ଗୋଟିଏ ପଟେ ଟ୍ରିବ୍ୟୁନାଲ ଟିମ୍ ମହାନଦୀର ସ୍ଥିତି ଦେଖୁଥିବାବେଳେ, ଅନ୍ୟପଟେ ସତ୍ୟାଗ୍ରହ ଆରମ୍ଭ କରିଛି ମହାନଦୀ ବଞ୍ଚାଅ ସମିତି ।

  • କେମିତି ଅଛି ମହାନଦୀର ସ୍ଥିତି?
  • ହୀରାକୁଦରେ ଟ୍ରିବ୍ୟୁନାଲ ଟିମର ଅନୁଧ୍ୟାନ

ଛତିଶଗଡରେ ମହାନଦୀର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ପରେ, ଓଡିଶା ଗସ୍ତରେ ଆସିଥିବା ଟ୍ରିବ୍ୟୁନାଲ ଟିମ୍ ହୀରାକୁଦରେ ଅନୁଧ୍ୟାନ କରିଛନ୍ତି । ବିଶେଷକରି ୨୦୦୫ ପର୍ଯ୍ୟନ୍ତ ହୀରାକୁଦରେ କେତେ ଜଳ ପ୍ରବାହିତ ହେଉଥିଲା? ଜଳ ପ୍ରବାହ କିପରି ଥିଲା? ଛତିଶଗଡ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ହୀରାକୁଦ ଉପରେ କି ପ୍ରଭାବ ପଡିଛି ? ତାର ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍ ।

ତେବେ ଗୋଟିଏ ପଟେ ଟ୍ରିବୁନାଲ ଟିମ୍ ଓଡିଶା ଆସି ମହନଦୀର ସ୍ଥିତି ଦେଖୁଥିବାବେଳେ, ଅନ୍ୟପଟେ ସତ୍ୟାଗ୍ରହ ଆରମ୍ଭ କରିଛି ମହାନଦୀ ବଞ୍ଚାଅ ସମିତି । ଝାରୁସୁଗୁଡାର କେଲୋ ନଦୀ କୂଳରେ ଥିବା ଲୁହାବଗାରେ ମହାନଦୀ ବଞ୍ଚାଅ ସମିତି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ଆଉ ଅଣମୌସୁମୀ ସମୟରେ ଛତିଶଗଡ ସରକାର ପାଣି ଛାଡିବା ପାଇଁ ଟ୍ରିବ୍ୟୁନାଲ୍ ଅନ୍ତରୀଣ ଆଦେଶ ଦେଉ ବୋଲି ଦାବି ହୋଇଛି ।

ଏସବୁ ଭିତରେ ଓଡିଶାକୁ ମହନଦୀର ପ୍ରବେଶ ପଥ କୁହାଯାଉଥିବା ସୁଖାସୋଢ଼ାରେ, ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ । ଆଉ କ୍ୟାମେରାରେ କଏଦ ହୋଇଛି ଚିନ୍ତାଜନକ ଚିତ୍ର । ଯେଉଁଠି ଦିନେ ପାଣି ଉଛୁଳିଥିଲା ଏବେ ସେଠି ମରୁଭୂମି ଭଳି ସ୍ଥିତି ଉପୁଜିଛି । ଯୁଆଡେ ଚାହିଁବ ଖାଲି ବାଲି ହିଁ ବାଲି । କେବଳ ମହାନଦୀ ନୁହେଁ ଶାଖା ନଦୀରେ ଦେଖାଯାଇଛି ସମାନ ଅବସ୍ଥା । ପାଣି ନଥିବାରୁ ପ୍ରଭାବିତ ହେଉଛନ୍ତି ମହାନଦୀ କୂଳରେ ରହୁଥିବା ଲୋକ ।

ତେବେ ମହାନଦୀର ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପୂର୍ବରୁ ଏଥିପାଇଁ କେନ୍ଦ୍ର ସରକାର ଓ ଛତିଶଗଡ ସରକାରକୁ ଦୋଷ ଦେଇ ଆସୁଛି ବିଜେଡି । କିନ୍ତୁ ମହାନଦୀ ସମସ୍ୟାର କେବେ ସମାଧାନ ହେବ ତାର ବାଟ ବାହାରି ପାରୁନି ।