ଦିନ ଗଡୁଛି, ହେଲେ କାମ ହେଉନି । ଦ୍ୱନ୍ଦରେ ଅଟକିଛି ଗଞ୍ଜାମ ଓକିଲ ସଂଘର କୋଠା ରୂପାନ୍ତରୀକରଣ କାମ ।

98

କନକ ବ୍ୟୁରୋ: ଦ୍ୱନ୍ଦରେ ଅଟକିଛି ଗଞ୍ଜାମ ଓକିଲ ସଂଘର କୋଠା ରୂପାନ୍ତରୀକରଣ କାମ । ବ୍ରହ୍ମପୁର ସହରର ମଧ୍ୟ ଭାଗରେ ରହିଛି ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ଅଦାଲତ । ଦିନକୁ ଦିନ ବଢୁଥିବା ମାମଲା ଓ ସଂଘ ସଦସ୍ୟଙ୍କ ସଂଖ୍ୟାବୃଦ୍ଧିକୁ ନଜରରେ ରଖି ଅଦାଲତ ସମ୍ମୁଖରେ ଥିବା ଗଞ୍ଜାମ ଓକିଲ ସଂଘର ଶତାୟୁ ପୁରାତନ କୋଠାଟିର ରୂପାନ୍ତରୀକରଣ ଲାଗି ମାନ୍ୟବର ଉଚ୍ଚ ନାୟ୍ୟାଳୟ ନିଷ୍ପତି ନେଇଛନ୍ତି । ବ୍ରହ୍ମପୁର କୋର୍ଟ କ୍ୟାମ୍ପସର ରୂପରେଖ ବଦଳାଇ ସେଠାରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ୫ମହଲା ବିଶିଷ୍ଠ କୋଠା ନିର୍ମାଣ ଲାଗି ନିଷ୍ପତି ହୋଇଛି । ୪ମାସ ତଳେ ଦିଆଯାଇଥିବା ନିର୍ଦ୍ଦେଶ ପରେ କୋଠା ଖାଲି ହୋଇନଥିବା ଯୋଗୁଁ ଅଦାଲତଙ୍କ ପକ୍ଷରୁ ଏବେ ପୁଣି ୭ଦିନିଆ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସଂଘ ପକ୍ଷରୁ ଘନଘନ ଜରୁରୀକାଳୀନ ବୈଠକ ବସୁଛି ହେଲେ ନିଷ୍କର୍ଷ ବାହାରି ପାରୁନାହିଁ ।

୪ମାସ ତଳେ ସଂଘ ପକ୍ଷରୁ ସମର୍ଥନ ନିଆଯାଇଥିବା ବେଳେ ଏବେ ପୁଣି ଅଦାଲତଙ୍କ ନିକଟରେ ନୂଆ ପ୍ରସ୍ତାବ ରଖିବାକୁ ଯାଉଛି ସଂଘ । ସେପଟେ ୧୮୪୪ମସିହାରେ ଗଠନ ହୋଇଥିଲା ଗଞ୍ଜାମ ବାର୍ ଆସୋସିଏସନ ବା ଗଞ୍ଜାମ ଓକିଲ ସଂଘ । ବର୍ତ୍ତମାନ ଦୁଇଟି ଲାଇବ୍ରେରୀ, ଗୋଟିଏ ପୁରାତନ ହଲ ଓ ଅନ୍ୟଟି ୧୦୦ଜଣ ଓକିଲଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥାଇ ନୂତନ ଏସି ହଲ ରହିଛି ।

ସଂଘ କାର୍ଯ୍ୟାଳୟ ପାଇଁ କୋର୍ଟ ପରିସରରେ ଅସ୍ଥାୟୀ ଭାବେ ବିକଳ୍ପ ବ୍ୟବସ୍ଥାକୁ ଅରାଜି ଅଛନ୍ତି ସଂଘ ସଦସ୍ୟ । ଚାମ୍ବର ଗୁଡିକ ସ୍ଥାନାନ୍ତରିତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ସଂଘ କାର୍ଯ୍ୟାଳୟ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଜରୁରୀକାଳୀବ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି ।

ତେବେ ବିକାଶ ମୁଳକ କାର୍ଯ୍ୟକୁ ସଂଘ ସ୍ୱାଗତ କରିଥିଲେ ବି କେବଳ ଓକିଲାତି ବୃତିରେ ଘର ଚଳୁଥିବା ଆଇନଜୀବୀଙ୍କ ପେଟପାଟଣା ପ୍ରତି ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ଅଦାଲତଙ୍କୁ ଅନୁରୋଧ କରିଛନ୍ତି ସଂଘ ସଦସ୍ୟ ।