ସୋନପୁରରେ ସରଗରମ ନିର୍ବାଚନ ତାତି । ନିବାଚନୀ ଗୀତରେ କମ୍ପୁଛି ଗାଁ ଦାଣ୍ଡ । ନିଆରା ରଣନୀତି ଆପଣାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ

46

କନକ ବ୍ୟୁରୋ : ନିର୍ବାଚନୀ ପ୍ରଚାରରେ କମ୍ପୁଛି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳିର ଗାଁଠୁ ସହର । ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକ ପ୍ରଚାର ପରେ ଜମୁଛି ପ୍ରାର୍ଥୀ ପ୍ରଚାର । ୨୦୦୦ ମସିହାରୁ ବିଜେଡିର ଦୁର୍ଗ ଭାବେ ପରିଚିତ ସୋନପୁର ବିଧାନସଭା କ୍ଷେତ୍ର । ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ପର ଠାରୁ ବିଜେଡି ବିଧାୟକ ନିରଂଜନ ପୂଜାରୀଙ୍କ ହାତରେ ରହିଛି । ଏଥର ବି ଦଳ ତାଙ୍କୁ ପ୍ରାର୍ଥୀ କରିଛି । ନବୀନ ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇ ସମର୍ଥନ ଯୋଗାଡରେ ଲାଗିଛନ୍ତି ନିରଂଜନ ପୂଜାରୀ ।

ସୋନପୁର ଆସନ ପାଇଁ ମୋଟ ୮ ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଇସ୍ତାହାରକୁ ଅସ୍ତ୍ର କରି ବିଜେପି ପ୍ରାର୍ଥୀ ଭୋଟ ମାଗୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ଲଢୁଛନ୍ତି ।

ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ମାତ ଦେବାକୁ ଜନ ସମର୍ଥନ ଯୋଗାଡରେ ଲାଗିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୋନାଲି ବିଶି । ଚାଷୀ ସରକାରର ନାରା ଦେଇ ପ୍ରଚାରକୁ ଯୋରଦାର କରିଛନ୍ତି । କେତେବେଳେ ଟ୍ରାକ୍ଟର ଚଲାଉଛନ୍ତି ପୁଣି କେତେବେଳେ ନିର୍ବାଚନ ଖର୍ଚ୍ଚ ତୁଲେଇବା ପାଇଁ ଭୋଟରଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି ।