ବିହାରରେ ରୋଡରେଜ୍ ଘଟଣା: ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ମୃତ୍ୟୁର ଫାଶରେ ପଡିଲା ୧୨ଜଣଙ୍କ ଜୀବନ

121

କନକ ବ୍ୟୁରୋ: ବିହାରର ବୈଶାଳୀରେ ଛାତି ଥରାଇବା ଭଳି ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଏକାଠି ହୋଇ ଲୋକେ ପୂଜା କରୁଥିବା ବେଳେ ହଠାତ୍ ମୃତ୍ୟୁର ଦାନବ ସାଜି ମାଡିଯାଇଥିଲା ଏକ ଦ୍ରୁତଗାମୀ ଟ୍ରକ ଆଉ ଆଖି ପିଛୁଳାକେ ଲୋକଙ୍କ ଉପରେ ଚଢିଯାଇ ଘଟାଇଥିଲା ଦୁର୍ଘଟଣା । ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୨ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି ।

ବିହାର ବୈଶାଳୀରେ ହୋଇଥିବା ସଡକ ଦୁର୍ଘଟଣା କେତେ ଯେ, ଭୟଙ୍କର ତାହା ଘଟଣା ସ୍ପଷ୍ଟ ବୟାନ୍ କରୁଛି । ରାସ୍ତା ଉପରେ ପୂଜା କରୁଥିବା ବେଳେ ନିରୀହ ଲୋକଙ୍କ ସହ ଏଭଳି ବଡ ଧରଣର ଅଘଟଣ ଘଟିବ, ତାହା କେହି କେବେ ଭାବିନଥିବେ । ବିହାର ବୈଶାଳୀର ମହନାର-ହାଜିପୁର ମୁଖ୍ୟରାସ୍ତାରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ରବିବାର ରାତି ପ୍ରାୟ ୯ଟା ବେଳେ । ସେଠାକାର କିଛି ଲୋକେ ରାସ୍ତା ଉପରେ ଥିବା ଏକ ବରଗଛ ମୂଳେ ଏକାଠି ହୋଇ ପୂଜାର୍ଚ୍ଚନା କରୁଥିଲେ । ଏତିକି ବେଳେ ହଠାତ୍ ମୃତ୍ୟୁ ସାଜି ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ନିକଟକୁ ମାଡିଆସିଥିଲା ଆଉ ଆଖି ପିଛୁଳାକେ ଲୋକଙ୍କ ଉପରେ ଚଢିଯାଇ ନିକଟରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୮୨ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗମ୍ଭୀର ଆହତ ହୋଇଛନ୍ତି । ହାଜିପୁର ସଦର ହସ୍ପିଟାଲରେ ସମସ୍ତ ଆହତଙ୍କ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।

ଏହି ଅଘଟଣରେ ବର୍ତମାନ ସୁଦ୍ଧା ୧୨ ଜଣ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ଭିତରେ ୭ଜଣ ଶିଶୁ ରହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ ଚଳାଇଛି । କିଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରୁଛି ପୋଲିସ । କୁହାଯାଉଛି, ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଲାଉଥିବା ହେତୁ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରକୁ ଚଢିଯାଇଥିଲା ଟ୍ରକ । ସେପଟେ ଘଟଣା ପରେ ହେଲପର୍ ଓ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

ସେପଟେ ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ତେଜଶ୍ୱି ଯାଦବ ମଧ୍ୟ ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର ।

ମୃତ୍ୟୁ କେତେବେଳେ ଆସିବ ତାହା ଆଗରୁ କହିହେବ ନାହିଁ, ହେଲେ ବିହାରର ଏହି ଦୁର୍ଘଟଣା ପାଇଁ ଦାୟୀ କିଏ? ଡ୍ରାଇଭର ନା ରାସ୍ତାରେ ଏକାଠି ହୋଇ ପୂଜା କରୁଥିବା ସ୍ଥାନୀୟ ଲୋକ ।