ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ସୋ’ ମାଧ୍ୟମରେ ଦର୍ଶକଙ୍କୁ କହିବେ ଯୁଦ୍ଧ ପରିସ୍ଥିତିର ଲୋମଟାଙ୍କୁରା କାହାଣୀ । ଖୁବ ଶୀଘ୍ର ଟିଭି ପରଦରେ ଆପଣ ଏହି ସୋ’କୁ ଦେଖିପାରିବେ

197

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ସୋ’ ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ମ୍ୟାନ୍ ଭରସେସ୍ ୱାଇଲ୍ଡର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ଜଙ୍ଗଲ ବୁଲିବେ ଜେଲେନସ୍କି । ନିକଟରେ ବେୟର୍ ଗ୍ରିଲ୍ସ ବୋଲଦିମିର୍ ଜେଲେନସ୍କିଙ୍କ ସହ ସାକ୍ଷାତ ପରେ ଜେଲେନସ୍କିଙ୍କ ଜଙ୍ଗଲ ବୁଲିବା କଥା ସାମ୍ନାକୁ ଆସିଛି ।
ଜେଲେନସ୍କିଙ୍କ ସହ ବେୟର୍ ଗ୍ରିଲ୍ସ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ଚଳିତ ସପ୍ତାହରେ ମୁଁ ୟୁକ୍ରେନ୍ ରାଜଧାନୀ କିଭ୍ ଯାତ୍ରା କରିଥିଲି । ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ପାଇଥିଲି । ଯେତିକିବି ସମୟ ଜେଲେନସ୍କିଙ୍କ ସହ ବିତାଇଲି ତାହା ମୋ ପାଇଁ ଏକ ସ୍ମରଣୀୟ ଅନୁଭବ ରହିବ ।
ବେୟର୍ ଗ୍ରିଲ୍ସ ଆହୁରି ମଧ୍ୟ କହିଛନ୍ତିକି, ମ୍ୟାନ ଭରସେସ୍ ୱାଇଲ୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱ ଜେଲେନସ୍କିଙ୍କ ବିସୟରେ କିଛି ଏମିତି ଅକୁହା କଥା ଜାଣିବେ, ଯାହା କେହି କେବେ ଜାଣିନଥିବେ । ଜେଲେନସ୍କିଙ୍କ ସହ କଥାବାର୍ତ୍ତା ମଧ୍ୟରେ ମତେ ଜାଣିବାକୁ ମିଳିଲା ୟୁକ୍ରେନ୍ କେତେ କଠିନତାର ସହ ଯୁଦ୍ଧ ମୁକାବିଲା କରୁଛି । ସାକ୍ଷାତକାର ସମୟରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ମୁଁ ଯୁଦ୍ଧ ମୁକାବିଲା ବାବଦରେ ପଚାରିଥିଲି । ସେ କେମିତି ଋଷ ସହ ମୁକାବିଲା କରୁଛନ୍ତି ଏହା ମଧ୍ୟ ପଚାରିଥିଲି । ଜେଲେନସ୍କି ଉତ୍ତରରେ ଯାହା କହିଲେ, ତାହା ଶୁଣି ମୋ ଲୋମ ଟାଙ୍କୁରି ଉଠିଥିଲା । ସବୁଠୁ ବଡ କଥା ହେଲା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବି ଜେଲେନସ୍କି ଯେଉଁଭଳି ଭାବରେ ଅତିଥି ସତକାର କଲେ ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ । ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଆଉ କଠିନ ପରିସ୍ଥିତିର ମୁକାବିଲା କରିବାର ସାହସ ଦେବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ।

ଆପଣଙ୍କ ମନେଥିବ ନିଶ୍ଚୟ, ୨୦୧୯ ଅଗଷ୍ଟ ୧୨ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବେୟର ଗ୍ରିଲ୍ସଙ୍କ ସହ ଜଙ୍ଗଲ ସଫାରୀରେ ଯାଇଥିଲେ । ବେୟର ଗ୍ରିଲ୍ସଙ୍କ ସହ ଜଙ୍ଗଲରେ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବରଫ ଭଳି ଥଣ୍ଡା ନଦୀକୁ ପାର କରିବା ସହ ନଦୀ କୂଳରେ ବସି ବେୟର୍ ଗ୍ରିଲ୍ସଙ୍କ ସହ ଚା’ ମଧ୍ୟ ପିଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଠିକ୍ ମୋଦିଙ୍କ ଭଳି ଏବେ ମ୍ୟାନ୍ ଭରସେସ୍ ୱାଇଲ୍ଡ କାର୍ଯ୍ୟକ୍ରମରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିବ । ଆଉ ୟୁକ୍ରେନ୍ କେମିତି ଯୁଦ୍ଧ ମୁକାବିଲା କରୁଛି, ସେନେଇ କିଛି ଅକୁହା କଥା ଜାଣିବାକୁ ମିଳିବ ।
ତେବେ ବେୟର ଗ୍ରିଲ୍ସ ତାଙ୍କ ଇଂଷ୍ଟାଗ୍ରାମ୍ ପେଜରେ ପୋଷ୍ଟ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମକୁ ଟିଭିରେ ଦିଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେସ୍ ଉତକଣ୍ଠା ପ୍ରକାସ ପାଇଛି ।