ରାଜଧାନୀ ରାସ୍ତାରେ ରକ୍ତମୁଖା ଡ୍ରାଇଭର: ପ୍ରତିଶୋଧ ପାଇଁ ହତ୍ୟାକାଣ୍ଡର ବ୍ଲୁ ପ୍ରିଂଟ୍

383

କନକ ବ୍ୟୁରୋ: ଏକପାଖିଆ ପ୍ରେମ କେତେ ଯେ ମାରାତ୍ମକ ହୋଇପାରେ, ତା’ର ନଜିର ଦେଖିବାକୁ ମିଳିଛି ରାଜଧାନୀ ରାସ୍ତାରେ । ପତ୍ନୀଙ୍କ ବଡ ଭଉଣୀ ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଗାଡି ଚଢାଇ ହତ୍ୟା କରିବାକୁ ଉଦ୍ୟମ । ରାଜଧାନୀ ସ୍ଥିତ ପଟିଆ ଅଂଚଳରେ ଏଭଳି ଏକ ଘଟଣା ଘଟିଛି । ତେବେ ଅଳ୍ପକେ ବର୍ତିଯାଇଛନ୍ତି ମହିଳା । ଅଭିଯୁକ୍ତ ଅକ୍ଷୟ ବେହେରାକୁ ଇନଫୋସିଟି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି ।

ସ୍କୁଟିକୁ ଏକ କିଲୋମିଟର ଘୋଷାଡ଼ି ନେଲା ପିକଅପ୍ ଭ୍ୟାନ । ଦେଖିଲେ, ଲାଗୁଥିଲା ଏହା ଏକ ସଡ଼କ ଦୁର୍ଘଟଣା । ହେଲେ ପ୍ରକୃତ ଘଟଣା ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଛାତି ଥରି ଉଠିବ । ଜଣେ ଏତେ ନୃଶଂସ ହୋଇପାରେ, ତାହା କେହି କେବେ ବି କଳ୍ପନା କରି ପାରିବେନି । ଏକତରଫା ପ୍ରେମରେ ବିଫଳ ହେବାରୁ ମହିଳାଙ୍କ ସାନ ଭଉଣୀକୁ ଜୀବନରୁ ମାରି ଦେବାକୁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ଅଭିଯୁକ୍ତ ଅକ୍ଷୟ ବେହେରା ଧରା ପଡିବା ପରେ, ଗୋଟି ଗୋଟି କରି ପୁଲିସ ଆଗରେ ସବୁ ସତ ବଖାଣିଥିଲା ।

ପୁଲିସ ଆଗରେ ଅକ୍ଷୟ ଯେଉଁ ସବୁ ବୟାନ ରଖିଲା, ତାହା ଶୁଣି ତଦନ୍ତ ଅଧିକାରୀ ବି ତାଜୁବ । ଅକ୍ଷୟ ବେହେରା ପିକ୍ଅପ୍ ଭ୍ୟାନ ଚଳାଇ ପରିବାର ପ୍ରତିପୋଷଣ କରୁଥିଲା । ପଟିଆ ରେଳ ଷ୍ଟେସନ ଅଂଚଳରେ ରହୁଥିବା ବେଳେ, ନିକଟରେ ଭଡ଼ାଘରେ ଜଣେ ମହିଳା ଓ ତାଙ୍କ ପରିବାର ରୁହନ୍ତି । ଉଭୟ ବିବାହିତ ସତ୍ୱେ ଅକ୍ଷୟ ସେହି ମହିଳାଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ । ଏନେଇ ମହିଳା ଜଣକ ବାରମ୍ବାର ବାରଣ କରିବା ପରେ, ପରିବାର ଲୋକ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ମହିଳାଙ୍କ ସାନ ଭଉଣୀଙ୍କ ସହ ଏ ନେଇ ପାଟିତୁଣ୍ଡ ବି ହୋଇଥିଲା ।

ଏଥିରେ ରାଗିଯାଇ ଅଭିଯୁକ୍ତ ଅକ୍ଷୟ, ମହିଳାଙ୍କ ସାନ ଭଉଣୀଙ୍କୁ ଗାଡ଼ି ଚଢାଇ ଜୀବନରୁ ମାରିବା ପାଇଁ ଉଦ୍ୟମ କରିଥିଲା । ମହିଳାଙ୍କ ସାନ ଉଉଣୀ ଅଫିସ ସାରି ଘରକୁ ଫେରିବା ବେଳେ ତାଙ୍କୁ ପିଛା କରିଥିଲା, ଆଉ ସୁଯୋଗ ଦେଖି ସିଧା ପିକଅପ ଭ୍ୟାନ ଚଢାଇ ଦେଇଥିଲା । ଅଳ୍ପକେ ମହିଳା ଜଣକ ବଂଚି ଯାଇଥିବା ବେଳେ, ସ୍କୁଟିକୁ ପ୍ରାୟ ୧ କିଲୋମିଟର ଯାଏଁ ଘୋଷାଡି ନେଇଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲଣ କରାଯାଇଥିବା ବେଳେ, ହ୍ସିପଟାଲରେ ଭର୍ତି ହୋଇଛନ୍ତି ପୀଡ଼ିତା । ତାଙ୍କ ହାତ ଭାଙ୍ଗି ଯାଇଛି, ସ୍କୁଟିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ପୀଡ଼ତାଙ୍କ ବୟାନ ରେକର୍ଡ କରିଛି ପୁଲିସ । ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।