ନୂଆ ଉପାୟରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ଆସୁଛି ୫ଟି ମେସେଜ୍, ଠକ ଜାଲରେ ପଡିଲେଣି ଅନେକ ଲୋକ

661

କନକ ବ୍ୟୁରୋ : ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି ସାଇବର ଠକ । ବିଭିନ୍ନ କୌଶଳରେ ଲୋକଙ୍କ ଆକାଉଣ୍ଟକୁ କରିଦେଉଛନ୍ତି ଖାଲି । ଟିକେ ଅସାବଧାନ ରହିଲେ କେହି ବି ଏହି ସାଇବର ଠକଙ୍କ ଜାଲରେ ପଡିଯାଇପାରନ୍ତି । ଠିକ୍ ସେହିଭଳି ଏବେ ଲୋକଙ୍କୁ ଠକିବା ପାଇଁ ଏକ ନୂଆ ଉପାୟ ବାଛିଛନ୍ତି ସାଇବର ଠକ । ଆଉ ଏହାକ ଶିକାର ଅନେକ ଲୋକ ମଧ୍ୟ ହୋଇସାରିଲେଣି ।
ଲୋକଙ୍କ ମୋବାଇଲକୁ ୫ପ୍ରକାରର ମେସେଜ୍ ଆସୁଛି । ଯେଉଁଥିରେ ଏକ ଲିଙ୍କ ରହିଛି । ଲିଙ୍କ କ୍ଲିକ୍ କରିବା ମାତ୍ରେ ଲୋକଙ୍କ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି ସାଇବର ଠକ । ଆସନ୍ତୁ ଜାଣିବା କେଉଁ ପ୍ରକାର ମେସେଜ୍ ଓ ଲିଙ୍କ୍ ମୋବାଇଲକୁ ଆସୁଛି… ଯାହାକୁ ଦେଖିବା ମାତ୍ରେ ସେହି ଲିଙ୍କ୍ ଉପରେ ଲୋକେ କ୍ଲିକ୍ କରିବାକୁ ବାଧ୍ୟ ହେଉଛନ୍ତି ।

ଚାକିରି ଦେବା ନାଁରେ ଠକେଇ :
ଲୋକଙ୍କ ପାଖକୁ ଆସୁଥିବା ମେସେଜରେ ଲେଖାଯାଉଛି, ଆପଣଙ୍କ ଜବ୍ ଆପ୍ଲିକେସନ୍ ଆପ୍ରୁଭ୍ ହୋଇଯାଇଛି । ସେଥିରେ ମାସକୁ କେତେ ଟଙ୍କା ସାଲାରୀ ମିଳିବ ତାହା ମଧ୍ୟ ଲେଖାଯାଉଛି । ଏହାର ଠିକ୍ ତଳେ ଏକ ଲିଙ୍କ୍ ଦେଇ ସେଥିରେ କ୍ଲିକ୍ କରିବାକୁ କୁହାଯାଉଛି । ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ମୋବାଇଲ୍ ହ୍ୟାକ୍ ହୋଇଯାଉଛି ଏବଂ ଏହାପରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି ।

ବ୍ୟାଙ୍କ ଆକାଉଣ୍ଟ୍ ବ୍ଲକ୍ ହୋଇଯାଇଥିବା ଦେଖାଇ ଲୁଟ୍ :
ବ୍ୟାଙ୍କ୍ ଆକାଉଣ୍ଟ୍ କିମ୍ବା ଗ୍ରାହକଙ୍କ ଏଟିଏମ୍ କାର୍ଡ ବ୍ଲକ୍ ହୋଇଯାଇଥିବାର ଏକ ମେସେଜ୍ ସାଇବର ଠକ ପଠାଉଛି । ଏହି ମେସେଜରେ ଏସବିଆଇ ୟୁନୋ ଆପକୁ ବନ୍ଦ ହୋଇଯାଇଥିବା କୁହାଯାଉଛି । ପ୍ୟାନ୍ କାର୍ଡ ଏବଂ କେୱାଇସି ଭେରିଫାଏ କରିବା ପାଇଁ ଏକ ଲିଙ୍କ୍ ଦିଆଯାଉଛି । ସେହି ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ଆକାଉଣ୍ଟ୍ରୁ ଟଙ୍କା କଟିଯାଉଛି ।

ବିଦ୍ୟୁତ୍ କାଟିଦେବା ଭୟ ଦେଖାଇ ଲୁଟ୍ :
ଘରର ବିଜୁଳି କାଟିଦେବା ଭୟ ଦେଖାଇଲା ଭଳି ଲୋକଙ୍କ ପାଖକୁ ଆସୁଛି ଅଧିକ ମେସେଜ୍ । ଏହି ମେସେଜରେ ଲୋକଙ୍କୁ ଘରର ବିଜୁଳି କଟାଯିବା ନେଇ ଭୟଭିତ କରାଯାଉଛି । ବିଜୁଳି କାଟରୁ ବଞ୍ଚିବା ପାଇଁ ଏକ ନମ୍ବରରେ କଲ କରିବାକୁ ପରାମର୍ଶ ଦିଆଯାଉଛି । କଲ କରିବା ମାତ୍ରେ ଲୋକଙ୍କ ସମସ୍ତ ତଥ୍ୟ ସାଇବର ଠକ ନିକଟକୁ ଚାଲିଯାଇଛି । ଆଉ ଠକାମୀର ଶିକାର ହେଉଛନ୍ତି ଲୋକେ

ଲୋନ ଦେବା କଥା କହି ଲୁଟ୍ : 
ଆଜିକାଲି କିଛି ବ୍ୟବସାୟ ଏବଂ ଘର କରିବା ପାଇଁ ପ୍ରାୟ ସମସ୍ତେ ଋଣ କରୁଛନ୍ତି । ଏହାର ସୁଯୋଗ ଉଠାଉଛନ୍ତି ସାଇବର ଠକ । ଲୋକଙ୍କ ପାଖକୁ ମେସେଜ୍ ଆସୁଛି । ଆପଣଙ୍କ ଫ୍ରି-ଲୋନ୍ ଆପ୍ରୁଭ୍ ହୋଇଯାଇଛି । ଏହା ପରେ ଏକ ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କୁହାଯାଉଛି । ସମାନ ଢଙ୍ଗରେ ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ଲୋକେ ଠକାମୀରେ ପଡିଯାଉଛନ୍ତି ।

କଷ୍ଟମ ବିଭାଗ ନାଁରେ ଠକେଇ :
ଠିକ୍ ସେହିଭଳି କଷ୍ଟମ୍ ବିଭାଗ ନାଁରେ ଲୋକଙ୍କୁ ଠକୁଛନ୍ତି ଠକ । ଫୋନ ଆସୁଛି ଆପଣ ଏକ ମୂଲ୍ୟବାନ୍ ଉପହାର ଜିତିଛନ୍ତି । ଆଉ ଆପଣଙ୍କ ଉପହାର କଷ୍ଟମ୍ ଡିପାଟମେଣ୍ଟ ପାଖରେ ରହିଛି । ଏଥିପାଇଁ ଆପଣଙ୍କୁ କଷ୍ଟମ୍ ଡ୍ୟୁଟି-ପେ କରିବାକୁ ପଡିବ । ପେମେଣ୍ଟ କରିବା ମାତ୍ରେ କଥାବାର୍ତ୍ତା ବନ୍ଦ କରିଦେଇଥାଏ ଠକ ।
କିଛି ଏହିଭଳି ଢଙ୍ଗରେ ଲୋକଙ୍କୁ ଠକୁଛନ୍ତି ସାଇବର୍ ଠକ । ଏଥିରୁ ବଞ୍ଚିବା ପାଇଁ ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ପଡିବ । କୌଣସି ବି ମେସେଜ୍ କିମ୍ବା କଲ୍ ଆସିଲେ ତାକୁ ଭଲ ଭାବେ ଯାଞ୍ଚ କରି ତଥ୍ୟ ଦିଅନ୍ତୁ । ନଚେତ୍ କେହିବି ଠକାମୀର ଶିକାର ହୋଇପାରନ୍ତି