କାଲି ନିର୍ବାଚନୀ ପ୍ରଚାରରେ ଉଠିବ ପଡିବ ଓଡ଼ିଶା । ବ୍ରହ୍ମପୁର ଓ ନବରଙ୍ଗପୁରରେ ବର୍ଷିବେ ମୋଦୀ । ଖରିଆର ଓ ଭବାନୀପାଟଣାରେ ନବୀନ କରିବେ ମାରାଥନ ପ୍ରଚାର

144

କନକ ବ୍ୟୁରୋ: କାଲି ଓଡ଼ିଶା ନିର୍ବାଚନୀ ପ୍ରଚାରରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ନିର୍ବାଚନୀ ମାହୋଲକୁ ସରଗରମ କରିବ । ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧନ ସହ ଓଡ଼ିଶାରେ ପ୍ରଚାର ଆରମ୍ଭ କରିବେ ମୋଦୀ । ସେହିପରି କଳାହାଣ୍ଡି ଲୋକସଭାର ଖରିଆର ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାକୁ ଓହ୍ଲାଇବେ ନବୀନ ।

  • ବ୍ରହ୍ମପୁରରେ ବର୍ଷିବେ ମୋଦୀ
  • କଳାହାଣ୍ଡିରେ ଗର୍ଜିବେ ନବୀନ

ଗ୍ରୀଷ୍ମ ତାତିକୁ ଟପିଯାଇଛି ନିର୍ବାଚନୀ ତାତି । ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋକସ୍ ଦେବା ପରେ ବଦଳି ଯାଇଛି ଚିତ୍ର । ଲୋକସଭା ସହ ବିଧାନସଭା ନିର୍ବାଚନରେ ବାଜିମାତ ପାଇଁ ବିଜେପି ରଣନୀତି କରୁଥିବା ବେଳେ ବିଜେଡିକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ମାରାଥନ ପ୍ରଚାର ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ମୋଦୀଙ୍କ ଜନସଭା
  • ଖରିଆର ଓ ଭବାନୀପାଟଣାରେ ନବୀନ କରିବେ ପ୍ରଚାର

ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଉପରେ ଏବେ କେନ୍ଦ୍ରୀତ ହୋଇଛି ଉଭୟ ବିଜେଡି ଓ ବିଜେପିର ଆଖି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ରାତି କାଟିବା ପରେ….

  • ସୋମବାର ସକାଳେ ବ୍ରହ୍ମପୁରରେ ନିର୍ବାଚନୀ ସଭା
  • ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ
  • ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
  • ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କାର୍ଯ୍ୟକ୍ରମ
  • ୧୧ ତାରିଖରେ ବଲାଙ୍ଗିର ଗସ୍ତରେ ଯିବେ ମୋଦୀ

ଅନ୍ୟପଟେ ଗତକାଲି ଦକ୍ଷିଣ ଓଡ଼ିଶାରେ ମାରାଥନ ପ୍ରଚାର କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହେବାକୁ ଥିବା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ସୋମବାର ପ୍ରଚାର କରିବେ ନବୀନ । ତେଣୁ ଆସନ୍ତାକାଲି ଦୁଇ ହେଭିୱେଟ୍ ନେତାଙ୍କ ପ୍ରଚାରରେ କମ୍ପିବ ଓଡ଼ିଶା । ଗୋଟିଏ ପଟେ ମୋଦୀ ଓ ଅନ୍ୟପଟେ ନବୀନ । ଫଳରେ ସରଗରମ ହୋଇ ଉଠିବ ରାଜ୍ୟ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଭରି ଯାଇଥିବା ବେଳେ ଏହାର ପ୍ରଭାବ ପ୍ରଡିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ କ’ଣ କହିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଗସ୍ତ କାର୍ଯ୍ୟକ୍ରମ, ଓଡ଼ିଶାରେ ରାତି କଟାଇବା, ରାଜ୍ୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଛି ।