ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରାତ୍ରିଯାପନ । ରାଜ୍ୟ ବିଜେପି ନେତାଙ୍କ ସହ କରିପାରନ୍ତି ରଣନୀତି

212

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଓଡିଶାରେ ଆସି ପହଞ୍ଚିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତେବେ ମୋଦୀ ବିମାନବନ୍ଦରରୁ ସିଧାସଳଖ ରାଜଭବନକୁ ଯିବେ । ରାଜଭବନରେ ରାତ୍ରୀ ଯାପନ କରିବେ । ଏହାପରେ ଆସନ୍ତାକାଲି ବ୍ରହ୍ମପୁର ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ବ୍ରହ୍ମପୁରରେ ଆୟୋଜିତ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।

  • ଆସୁଛନ୍ତି ନରେନ୍ଦ୍ର ମୋଦୀ
  • ରାଜଗାଦି ଦଖଲ ପାଇଁ କରିବେ ରଣନୀତି!

ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବଡ କଥା ହେଉଛି, କେବଳ ଓଡିଶା ଗସ୍ତରେ ଆସୁ ନାହାନ୍ତି, ଏଥର ମୋଦୀ ଭୁବନେଶ୍ୱରରେ ରାତ୍ରୀଯାପନ କରିବେ । ତେବେ ନିର୍ବାଚନ ସମୟରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରାତ୍ରୀ ଯାପନ କରିବା ପଛର କାରଣକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାତ୍ରୀ ଯାପନ ସମୟରେ ମୋଦୀ କିଛି ବଡ ରଣନୀତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ରାତିରେ ମୋଦୀ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ରାଜନୈତିକ ସ୍ଥିତି, ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନେଇ ଆଲୋଚନା କରିବେ । ଉଭୟ ଲୋକସଭା ଓ ବିଧାନସଭାର ଅଧିକ ଆସନରେ ବିଜୟ ଲାଭ କରିହେବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରିବେ । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନଥିଲେ ବି, ମୋଦୀ ଦଳର ବରିଷ୍ଠ ନେତାଙ୍କୁ ଭେଟିପାରନ୍ତି ବୋଲି ସଙ୍କେତ ମିଳିଛି ।

ତେବେ ମୋଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିର ବେଶ୍ ଉତ୍ସାହିତ ହୋଇପଡିଛି । ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବଢ଼ି ଯାଇଛି । କର୍ମୀଙ୍କ ଭିତରେ ଜୋସ୍ ବଢ଼ିଯାଇଛି ।