ଦିବ୍ୟାଙ୍ଗଙ୍କ ଦୁଃଖ କାହାଣୀ: ଜୀବନ ଜୀଇଁବାକୁ ସଂଘର୍ଷ କରୁଛନ୍ତି ସାଲେପୁର ପୂରଣ ଗାଁର ପ୍ରଶାନ୍ତ ସାମଲ

60

କନକ ବ୍ୟୁରୋ: ଦିବ୍ୟାଙ୍ଗଙ୍କ ପାଇଁ ଅନେକ ଯୋଜନା । ହେଲେ ପହଂଚିପାରୁନି ସଠିକ୍ ସ୍ଥାନରେ । କଟକ ସାଲେପୁର ମହଣ ପଂଚାୟତ ପୂରଣ ଗାଁର ପ୍ରଶାନ୍ତ ସାମଲ । ପ୍ରଶାନ୍ତ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅକୁ ନେଇ ତେଲ ଲୁଣର ସଂସାର । ଭଲ ଗୀତ ଗାଉଥିବା ବେଳେ ରେଡିଓ , ଟିଭି ସଜାଡି ପରିବାର ଚଳାଉଛନ୍ତି । ହେଲେ ସମୟ ବଦଳିବା ସହିତ ରୋଜଗାର ବି ଭଲ ହେଉନି । ମହଙ୍ଗା ଯୁଗରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଫନିରେ ଉଜୁଡି ଯାଇଛି ଘର । ଭଙ୍ଗା ରୁଜା ଘରେ ମୁଣ୍ଡ ଗୁଂଜି ପରିବାର ସହ ରହୁଛନ୍ତି ପ୍ରଶାନ୍ତ । ରାତିପାହିଲେ ପରିବାର କିଭଳି ଚଳିବ ସେ ନେଇ ବଢୁଛି ଚିନ୍ତା । ଆବାସ ଯୋଜନାରେ ଘରଟିଏ ପାଇଁ ବହୁବାର ନିବେଦନ କରି ନିରାଶ ହୋଇପଡିଛନ୍ତି । ଟ୍ରାଇ ସାଇକେଲ ବି ଭାଙ୍ଗି ଗଲାଣି । ହେଲେ ପ୍ରଶାନ୍ତଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।

ରାତିପାହିଲେ ନିତ୍ୟକର୍ମ ପାଇଁ ପିଠିରେ ଭରାଦେଇ ଯାନ୍ତି ପ୍ରଶାନ୍ତ । ଜୀବନ ଜୀଇଁବାର ସଂଘର୍ଷ ଜାରି ରଖିଥିବାବେଳେ ପରିବାର ଧରି ବାରଶୁଣ୍ଡିପିଣ୍ଢା ହେଉଛନ୍ତି । ପ୍ରତିଥର ଗୁହାରି ଜଣାଉଛନ୍ତି ହେଲେ ପ୍ରତିଶ୍ରୁତିରେ ସରିଯାଉଛି କାମ । କୌଣସି ପ୍ରକାରର ସାହାଯ୍ୟ ସହଯୋଗ ମିଳୁନଥିବାବେଳେ ଏବେ ପୁଣିଥରେ ସାହାଯ୍ୟ ସହଯୋଗର ମିଳିଛି ପ୍ରତିଶ୍ରୁତି । ଅଭାବ ଭିତରେ ସଂଘର୍ଷ କରିଚାଲିଛନ୍ତି ଦିବ୍ୟାଙ୍ଗ ପ୍ରଶାନ୍ତ । ତେଣୁ ତାଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ କରାଯାଇପାରିଲେ ପରିବାର ଉପକୃତ ହୋଇପାରିବ ।