୫-ଟି ଯୋଜନାରେ ବଦଳୁଛି ସ୍କୁଲର ରୂପରେଖ: ପିଲାଙ୍କୁ ଆକର୍ଷିତ କରୁଛି ଅତ୍ୟାଧୁନିକ କ୍ଲାସରୁମ ଓ ପରିବେଶ

125

କନକ ବ୍ୟୁରୋ: ୫ଟି ଯୋଜନାରେ ବଦଳୁଛି ଗ୍ରାମାଂଚଳ ସ୍କୁଲର ଚେହେରା । ସ୍କୁଲରେ ଉପସ୍ଥାନ ବଢିବା ସହ ଅତ୍ୟାଧୁନିକ କ୍ଲାସରୁମ, ଲାବରେଟୋରୀ, ଲାଇବ୍ରେରୀ ସହ ସୁନ୍ଦର ପରିବେଷ ମନ ମୋହୁଛି । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଅମରେଶ୍ୱରୀ ଉଚ୍ଚ ବିଦ୍ୟାଳୟର କଥା । ଛାତ୍ରଛାତ୍ରୀଙ୍କ ମନ ମୋହୁଛି ଏହି ମଡେଲ ସ୍କୁଲ । ସେପଟେ ସ୍ୱଛତା ପାଇଁ ଖର୍ଚ ତାଲିକା ଲଗାଇ ଉଦାହରଣ ସୃଷ୍ଟି କଲେ ଠିକାଦାର ।

ଶିକ୍ଷା ଓ ଶିକ୍ଷାନୁଷ୍ଠାନର ମାନ ବଢାଇ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ୫ଟି ଯୋଜନାରେ ସ୍କୁଲ ଗୁଡିକର ରୂପାନ୍ତରୀକରଣ କରୁଛନ୍ତି । ଏହି ଯୋଜନାରେ ସାମିଲ ହୋଇ ଏବେ ଝଲସୁଛି ଧର୍ମଶାଳା ବ୍ଲକ ଉତରଶାସନ ଉଚ୍ଚ ବିଦ୍ୟାଳୟ । ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର, ସ୍ମାର୍ଟବୋର୍ଡରେ ଛାତ୍ରଛାତ୍ରୀଙ୍କୁ ପାଠପଢାଉଛନ୍ତି ଶିକ୍ଷକ । ପିଲାମାନଙ୍କ ପାଇଁ କ୍ଲାସରୁମ୍ରେ କରାଯାଇଛି ଉତମମାନର ଡେସ୍କ ବ୍ୟବସ୍ଥା । ଯାହା ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆଗ୍ରହ ବଢାଉଛି ।

ସ୍କୁଲ ପରିସରରେ ରହିଛି ଚିଲଡ୍ରେନ୍ ପାର୍କ । ଯେଉଁଥିରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ଷ୍ଟାଚ୍ୟୁ ତିଆରି କରାଯାଇଛି । ସେହିପରି ସ୍କୁଲର ପାଚେରୀରେ ରଙ୍ଗବେରଙ୍ଗର ଚିତ୍ର କରାଯାଇ ସଚେତନତାର ବାର୍ତା ଦିଆଯାଇଛି । ୩୪ ଲକ୍ଷ ଟଙ୍କା ବ୍ୟୟରେ ଆଧୁନିକିକରଣ ହୋଇଥିବା ଏହି ସ୍କୁଲରେ ଅତ୍ୟାଧୁନିକ ବିଜ୍ଞାନାଗାର, ସ୍ମାର୍ଟକ୍ଲାସ, ଲାଇବ୍ରେରୀ, ଶୌଚାଳୟ, ପାନୀୟଜଳ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ପିଲାମାନଙ୍କର ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ବଢିବା ସହ ଉପସ୍ଥାନ ମଧ୍ୟ ବଢୁଛି ବୋଲି କହିଛନ୍ତି ଶିକ୍ଷକ ।